ସାମୟିକି
ସାମୟିକି


ସାମୟିକି
**********
ବସନ୍ତ ଆସିଛି ଧରାକୁ ବୋଲି ପଡୁଛି ହୁରି
କଢି କରିଲାଣି ପତର ପରେ ବଡିମା ଜାରୀ
କାହିଁ ନବବଧୂ ସାଜିଛି ଫୁଲ ବୃନ୍ତ ଉହାଡେ
ବାତାବରଣରେ ଅଳପ ଫୁଲ ଗନ୍ଧ ପହୁଡେ
ପୋଖତୀ ହେଲେଣି ବହୁଳେ ବୃକ୍ଷ ଗରିମା ବାଢି
ପ୍ରାଞ୍ଜଳ ହେଉଛି କିରଣ ରାତ୍ରୀ ଶିଥିଳ ଝାଡି
ପୁରୁଣା ପତର ଝାଡିବ ବୃକ୍ଷ ଅପେକ୍ଷାରତ
ଦକ୍ଷିଣୁ ଧରାରେ ମଳୟ ଧାରା ହେଲେ ଆଗତ
ମାତିବ ବସନ୍ତ ଜତାଇ ତାର ଗୁଣ ଆବଳି
ଗୁମାନୀ ପ୍ରକୃତି ଉଷତେ ହେବ ଛଳ ଛବିଳୀ
ଅଳସୀ କୋଇଲି ଝାଡିନି କଣ୍ଠ ପଞ୍ଚମ ତାନେ
ଯାଇନାହିଁ ବୋଲି ଧରାରୁ ଶୀତ ରାଜ ନିଶ୍ଚିହ୍ନେ
ଏବେବି କୁହୁଡି କନ୍ଦଳ କରେ ପ୍ରଭାତ ସଙ୍ଗେ
ସାମୟିକ ସ୍ଥାଣୁ ରଚଇ ନବ ପ୍ରଭାତୀ ଢଙ୍ଗେ
ଦୁଷ୍ଟ ଆଉ ଶିଷ୍ଟ ଗୋଳରେ ଯେହ୍ନେ ଦେଖିବା ଜନ
ସେ ପ୍ରକାରେ ବୃକ୍ଷ ନିଶ୍ଚଳେ ଛନ୍ତି ଦଣ୍ଡାୟମାନ
ଏ କଥାକୁ ଜାଣି ଦୂରେଇ ରୁହେ ସକାଳ
ବାଆ
ଦ୍ବନ୍ଦଯୁଦ୍ଧ ସମ କୁହୁଡି ମାତେ ତୁହାକୁ ତୁହା
କେବେ ପଛଘୁଞ୍ଚା ଦିଅଇ କେବେ ଆସଇ ମାଡି
କେବେ ପ୍ରଭାତର କିରଣ ତାକୁ ଦିଏ ଘଉଡି
ଉନ୍ମତ୍ତେ ଭ୍ରମର ବୁଲୁନି ଫୁଲ କାଆଁ ଭାଁ ମିଳେ
ଏ ସନ୍ଧିକ୍ଷଣର ଦର୍ଶନେ ମୋ ଲେଖନୀ ଚହଲେ
ବର୍ଣ୍ଣନା ମୋଦେ ମୁଁ ଦେଖୁଛି ଯାହା ପାରୁନି ଲେଖି
ନାହିଁ କା' ସାମର୍ଥ ପାରିବ ପୂର୍ଣ୍ଣେ ପ୍ରକୃତି ଆଙ୍କି
ତେବେବି ପ୍ରୟାସରତ ମୁଁ ଭାବେ ଦେବାକୁ ରୂପ
କ୍ଷମିବ ବିବୁଧେ ଯଦି ବା କାହିଁ ହୁଏ ବେଖାପ
ଶୀତ ବସନ୍ତର ସୀମାହିଁ ରଚେ ନବ ସିତ୍କାର
ନଥାଉ ପଛକେ ବର୍ଣ୍ଣନେ କିଛି ଚମତକାର
ଅଭ୍ୟାସୀ ଲେଖନୀ ଲେଖେ ଯା ହେଉ ଶାନ୍ତ ସୁଖାୟଃ
ନରହୁ ପଛକେ ପାଠକେ , ଲେଖନୀ ପରିଚୟ
ତଥାପି ରଚିବା ଧରମ ଧରି ବିତାଏ ବେଳ
ନାହିଁ ମାମୁ ଠାରୁ ଅପଙ୍ଗ ମାମୁ ନୁହେଁ କି ଭଲ ?
ଭାବର ଦ୍ବନ୍ଦ ମୋ କରୁଛି ଏଠି ଲେଖନୀ ବନ୍ଦ
କ୍ଷମିବ ପାଠକେ ମଣିଲେ ଏହା ଅଲୋଡା ଛନ୍ଦ