ଈଶ୍ବର ଏକ ବିଶ୍ବାସ ଅନେକ
ଈଶ୍ବର ଏକ ବିଶ୍ବାସ ଅନେକ


ସମସ୍ତ ଐଶ୍ବର୍ଯ୍ୟବାନ୍ ଅଟନ୍ତି ପରମେଶ୍ବରହେ
ମନୁଷ୍ୟ ତାଙ୍କ ଉପାସନା ତୁମେ ନିତ୍ୟ କର
ଯିଏ ଅଦୃଶ୍ୟ ଅରୂପ ନାହିଁ ଯାହାଙ୍କ ଆକାର
ନାହିଁ ବା ଛବି ପ୍ରତିମା କେଉଁ ରୂପ ହେବ ତାର
ଈଶ୍ବର ଆଲ୍ଲାହ ଗୋଟିଏ କୁହେ ବେଦ, କୁରୁଆନ
ଆଲୋଚ୍ୟରୁ ଜଣାପଡେ ସ୍ରଷ୍ଟା, ସୃଷ୍ଟି ଦୁହେଁ ଭିନ୍ନ
ସ୍ରଷ୍ଟା ଭଗବାନ ହେଲେ ସୃଷ୍ଟି ଭକ୍ତ ପାରେ ହୋଇ
ତେଣୁ ସ୍ରଷ୍ଟା ସୃଷ୍ଟି ମଧ୍ୟେ ଗଭୀର ସମ୍ପର୍କ ଥାଇ
ସ୍ରଷ୍ଟା ସଦା ସମସ୍ତଙ୍କୁ ମାର୍ଗ ଦରଶାଇଥାନ୍ତି
ସୃଷ୍ଟି ଗୁରୁପଣେ ଅଳ୍ପେ ସ୍ରଷ୍ଟାଙ୍କୁ ଚିହ୍ନାଇଦ୍ୟନ୍ତି
ରାମ କୁହ କୃଷ୍ଣ କୁହ ଅବା କୁହ ମହମ୍ମଦ
ଗୁରୁ ଅଟନ୍ତି ଏମାନେ ପାଇବେନି ବ୍ରହ୍ମପଦ
ବ୍ରହ୍ମକୁ ଚିହ୍ନି ଅଛନ୍ତି ନିଜ ହୃଦଶକ୍ତିବଳେ
ଜଗତ କଲ୍ୟାଣେ ବାଣ୍ଟି ଦେଇଛନ୍ତି ସଦାକାଳେ
ଜଗତ କଲ୍ୟାଣକାରୀ ସେ ମହାନ ଗୁରୁ ସିନା
ଈଶ୍ବରେ ଚିହ୍ନିବା ବାଟ କହି ଯାଇଛନ୍ତି ନାନା
ସେ କେବେ କହି ନାହାନ୍ତି ତାଙ୍କ ଉପାସନା ପାଇଁ
କହିଛନ୍ତି ଉପାସନା ଯୋଗ
୍ୟ ଈଶ୍ବର ଅଟଇ
ସର୍ବସମର୍ପଣ ଭାବେ କରି ସଦା ତାଙ୍କ ପୂଜା
ଜୀବନ ସାର୍ଥକ କର ସେ କେବଳ ମହାତେଜା
ପରମ ଆତ୍ମା ହିଁ କରେ ସବୁକିଛି ଆତ୍ମା ପାଇଁ
ଆତ୍ମାର ହୀତ ସାଧନେ, ବାକି ସବୁ ନିମିତ୍ତ ହିଁ
ଆତ୍ମା ପାଇଁ ବିଚାରକ କେବଳ ହିଁ ପରମାତ୍ମା
ତାଙ୍କ ବିନା କେଉଁ ଫଳ ଭୋଗି ପାରିବନି ଆତ୍ମା
ରୂପଧରି ଧରା ଅବତରଣରେ ଆସେ ଯିଏ
ମହାଗୁରୁ ହୋଇପାରେ ଈଶ୍ବରେ ଚିହ୍ନାଇ ଦିଏ
ନଜ ଆତ୍ମା ବଳେ ପାଏ ଈଶ୍ବରୀୟ ଗୁଣାବଳି
ସଂସାରକୁ କର୍ମବଳେ ସୁପଥରେ ନିଏ ଚାଳି
ପ୍ରାଣୀକୁ ଆପଣା ଭାବି ମୁକତିପଥ ଦେଖାଏ
ସରବଦା ଈଶ୍ବରୀୟ ଗୁଣରେ ପ୍ରଫୁଲ୍ଲ ରୁହେ
ଈଶ୍ରରଙ୍କ ଦୂତ ସାଜି ଜଗତ ମଙ୍ଗଳ କରେ
ଉପାସକ ସାଜି ଭଜେ ସଦା ଉପାସ୍ୟ ଈଶ୍ବରେ
ସ୍ତୁତି କରେ ସେଇ ସ୍ତବ୍ୟ ବ୍ରହ୍ମଙ୍କୁ ଚିତ୍ତରେ ଚିହ୍ନି
ସଂସାରେ ଗୁରୁପଣରେ କୁହନ୍ତି କଲ୍ୟାଣ ବାଣୀ
ତାଙ୍କ ଦେଖାଇବା ପଥେ ଚାଲିଲେ ସଂସାର ସାରା
ଜନ୍ମ ସାର୍ଥକ ହୁଅଇ ପାଇ ଈଶ୍ବରୀୟ ଧାରା