ମଦ କମାଲ
ମଦ କମାଲ
କେମିତି କହିବି ମଦ ଗୁଣ ଭାଇ
କହିବାକୁ ଲାଜ ଲାଗୁଛି
ମଦରୁ ଟିକିଏ ପେଟେ ପଡିଗଲେ
ଚଉଦ ଭୁବନ ଦିଶୁଛି ।
ଭେଣ୍ଡିଆ ପୁଅଟା କାମ ଧନ୍ଦା ଛାଡି
ଫରେନ ଲିକ୍ୱାର ପିଉଛି
ମଦର ନିଶାରେ ବାଉଳା ହେଇକି
ବାପକୁ ମଉସା ଡାକୁଛି ।
ସନ୍ଧ୍ୟା ହେଇଗଲେ ପଦନା ପରିଡା
ଭାଟିକୁ ନିଇତି ଧାଉଁଛି
ମଦରୁ ପେଟାଏ ପିଇ ଦେଇ ଆସି
ସ୍ତିରୀକୁ ତାହାର ପିଟୁଛି ।
ବାତରା ଟୋକାଟା ନିଇତି ନିଇତି
ପଲିଥିନି ଚୁଲୁ ପିଉଛି
ବାଟରେ ଘାଟରେ ଝିଅଙ୍କୁ ଦେଖିଲେ
ଭିଡାଭିଡ଼ି ତାଙ୍କୁ କରୁଛି ।
ମଦୁଆ ବାପଟା ପିଇବ ବୋଲିକି
ଏମିତି ପାଗଳ ହେଉଛି
ପିଇବା ପାଇଁକି ଛୁଆର ହାତରେ
ବୋତଲ ମଗେଇ ଦେଉଛି ।
ନେତା ବାଛିବାକୁ ଯେବେ ଯେବେ ପୁଣି
ନିର୍ବାଚନ ଋତୁ ଆଉଛି
ଗାଆଁର ଯୁବକ ମଦ ଟିକେ ପିଇ
ଭୋଅଟ ବାଡେଇ ଦେଉଛି ।
କିଏସେ ଜାଣିଛି ସତେକି ମଦରେ
ଏମିତି କଅଣ ରହିଛି
ନାବାଳିକା ଝିଅ ଦେଖିଦେଲେ ସୁଧା
ଅଠର ବୟସୀ ଲାଗୁଛି ।
ମଦ ପିଉ ପିଉ ମଣିଷକୁ ଯେତେ
ମଦଟା ଓଲଟି ପିଉଛି
ନିଶାରେ ନିଶାରେ ଅମଣିଷ ହୋଇ
ପାପ କେତେ ସିଏ କରୁଛି ।
ରାସ୍ତାଘାଟ ସବୁ ମଦୁଆଙ୍କ ପାଇଁ
ଡ଼ଲପ ଗଦି ଟେ ସାଜୁଛି
ଧର୍ମପତ୍ନୀ ବୋଲି ଭାବିକି ମଦୁଆ
କୁକୁର କୁଣ୍ଢେଇ ଶୋଉଛି
ସତରେ ଯେମିତି ମଦଟା ଗୋଟିଏ
ଏମିତି ପଦାର୍ଥ ହେଇଛି
ଠିପିଏ ସେଥିରୁ ପେଟରେ ପଡିଲେ
ବୁଦ୍ଧିଘର ଶୂନ୍ୟ ହେଉଛି ।
ସତେକି ଯେମିତି ଦୁନିଆରେ ଆଜି
ମଦଟା କମାଲ କରୁଛି
ପାଗଳ ମଣିଷ ବଇଆ ହୋଇକି
ତାହାରି ପଛରେ ପଡିଛି ।