ନାରୀ
ନାରୀ

1 min

151
ଯନ୍ତ୍ରଣା ଜହର ପାନକରି ସିଏ
ଅମୃତ ପରଶୁ ଥାଏ
ନିଜର ଇଚ୍ଛାକୁ ଜଳାଞ୍ଜଳି ଦେଇ
ଅନ୍ୟ ପାଇଁ ଜିଉଁଥାଏ ।
ଅସରନ୍ତି କୋହ ଛାତିତଳେ ଚାପି
ସିଏ ସଦା ହସୁଥାଏ
ଅନ୍ୟ ଖୁସି ପାଇଁ ନିଜର ଦୁଃଖକୁ
ମନ ତଳେ ଚାପିଦିଏ ।
ଅବ୍ୟକ୍ତ ବେଦନା ଆକୁଣ୍ଠେ ଆଦରି
ନିତି ସେ କ୍ଷତାକ୍ତ ହୁଏ
ହେଲେ ସେ କ୍ଷତକୁ ଅନ୍ତରେ ଲୁଚେଇ
ଅକ୍ଷତ ପାଲଟୁ ଥାଏ ।
ନିଜର ପେଟକୁ ଭୋକିଲା ରଖିସେ
ଅନ୍ୟ ପେଟ ଭରୁଥାଏ
ନିଜର ଲୁହକୁ ନିଜେ ପିଇ ସିଏ
ଅନ୍ୟ ଖୁସି ଖୋଜୁଥାଏ ।
ଦେବୀ ସାଜି ସିଏ ସାହା ହୋଇଥାଏ
ବିପଦୁ କରଇ ରକ୍ଷା
ସେହି ନାରୀ ପୁଣି ନାରାୟଣୀ ସାଜେ
ନେବାକୁ ନିଜ ସୁରକ୍ଷା ।
ଦୟା କ୍ଷମା ଆଉ ସେନେହ ମମତା
ହୃଦୟରେ ଥାଏ ଭରି
ସେଥିପାଇଁ ସିଏ ଧର୍ଯ୍ୟର ବସୁଧା
ନାମଟି ତାହାର ନାରୀ ।