ବେଳାଭୂମି
ବେଳାଭୂମି


କାହାକୁ ଦିଏ ସେ ଜୀବନ ଜୀବିକା
କାହାକୁ ବଞ୍ଚିବା ରାହା
ନିସ୍ତେଜ ମନକୁ ସତେଜ କରଇ
କାହାକୁ ହୁଅଇ ସାହା ।
କିଏ ଆସିଥାଏ ହସଖୁସି ପାଇଁ
ନିଜ ପରିବାର ସାଥେ
କବି ବସିଗଲେ ମୋହରି କୋଳରେ
ଲେଖଇ କବିତା କେତେ ।
କିଏ ଆସେ ପୁଣି ପ୍ରେମିକା ସାଥିରେ
ମୋର ଉପଭୋଗ ପାଇଁ
ସନ୍ତାନକୁ ନେଇ ଆସେ କିଏ ପୁଣି
ଦୂର ଦୁରାନ୍ତରୁ ଧାଇଁ ।
କା'ସାଥିରେ କେବେ କରିନି ଛଳନା
ସଭିଙ୍କୁ ଆଦରି ନିଏ
ଭୁଲିପାରେ ନାହିଁ ଜୀବନରେ ଥରେ
ମୋତେ ଯିଏ ଭଲପାଏ ।
ସଭିଙ୍କ ମନରେ ଶାନ୍ତି ଭରିଦିଏ
ନାମ ମୋର ବେଳାଭୂମି
ବରଷାକି ଖରା ଶୀତ ଓ ବସନ୍ତ
ଅବା ଆସୁ ମଉସୁମୀ ।
କେବେ ସମୁଦ୍ରର ଲହଡି ଆସି ମୋ
ଦେହରେ ବାଡେଇ ହୁଏ
ତଥାପି କାହାକୁ ଘୃଣା କରେନାହିଁ
ସଭିଙ୍କୁ ମୁଁ ଭଲପାଏ ।