ଈଶ୍ୱର
ଈଶ୍ୱର
ଦେଖିନାହିଁ କେବେ ଈଶ୍ୱରଙ୍କୁ ମୁହିଁ
ପୂଜିଛି ଅନେକ ଥର
ବିନା ପୂଜାରେ ବି ପିତାଯେ ମୋହର
ମୋପାଇଁ ପରମେଶ୍ବର ।
ମାତାଯେ ମୋହର ସବୁଠାରୁ ବଡ଼
ମୋପାଇଁ ସାକ୍ଷାତ ଦେବୀ
ମୋ ମନ କଥାକୁ ବୁଝି ସେ ପାରନ୍ତି
ମନେ ଯାହା ଭାବୁଥିବି ।
ପିତା ଚାଲୁଥାନ୍ତି କଣ୍ଟକିତ ପଥେ
ମୋ ପଥେ ବିଛାନ୍ତି ଫୁଲ
ନିଜର କଷ୍ଟକୁ ଛାତିତଳେ ଚାପି
ମାଆ କରୁଥାନ୍ତି ଗେହ୍ଲ ।
ମାତା ସାଜୁଥାନ୍ତି ପୃଥିବୀ ମୋପାଇଁ
କୋଳକୁ ନିଅନ୍ତି ତୋଳି
ପିତା ଯେ ସାଜନ୍ତି ମୋପାଇଁ ଆକାଶ
ମଥାରେ ହାତ ତାଙ୍କରି ।
ଉପାସ ଭୋକରେ ଦିନସେ କାଟନ୍ତୁ
ଅଭାବେ ଥାଆନ୍ତୁ ରହି
ହେଲେ ତାଙ୍କ ଦିନ କଟୁଥାଏ ସଦା
ସୁଖକୁ ମୋହର ଚାହିଁ ।
ପିତାମାତା ମୋର ମୋପାଇଁ ଈଶ୍ୱର
ତାଙ୍କ ପାଦ ପୂଜୁଥିବି
ପ୍ରଭୁଙ୍କ ନାମର ସ୍ମରଣ ଆଗରୁ
ତାଙ୍କ ନାମ ନେଉଥିବି ।
ତାଙ୍କ ପାଦଧୂଳି ମୁଣ୍ଡରେ ମୋ ମାରି
ଚାଲିବି ଜୀବନ ପଥ
ତାଙ୍କ କରୁଣାରେ ଚାଲୁଥିବ ପରା
ମୋର ଏ ଜୀବନ ରଥ ।