Kamala Satpathy

Comedy Drama


1.0  

Kamala Satpathy

Comedy Drama


ସଂସାର ଜଞ୍ଜାଳ

ସଂସାର ଜଞ୍ଜାଳ

2 mins 470 2 mins 470


‘ମରିଯାଆନ୍ତି କି, ତରି ମୁଁ ଯାଆନ୍ତି’

କହେ ବୁଢୀ ରାତିଦିନ

ସଂସାର ଜଞ୍ଜାଳ ଅଟେ ଝିଞ୍ଜଟିଆ

କାହିଁରେ ଲାଗେନା ମନ ।

ପୁଅ ପଚାରୁନି, ଝିଅ ବୁଝୁନାହିଁ

ନାତି ନାତୁଣୀ ତ ଛାଡ

ସଭିଏଁ ନିଜର ଜଞ୍ଜାଳରେ ବ୍ୟସ୍ତ

କିଏ ବା ନେବ ଖବର !

କାହିଁକି ବଞ୍ଚିବି ଏ ବୟସେ ଆଉ

ଛାଡି ଯାଆନ୍ତାନି ପ୍ରାଣ

ସମସ୍ତଙ୍କୁ ଦୟା ଦେଖାନ୍ତି ନିଷ୍ଠୁର

ମୋ ବେଳକୁ ଜନ୍ତୁରାଣ !

କେତେ ଶରଧାରେ ବଢେଇ କୁଢେଇ

ଏତେ ଯୋଗ୍ୟ କରାଇଲି

ହାତ ଟେକା ପାଣି ଟୋପେ ପାଇଁ ସାରା

ଜୀବନ ଚାହିଁ ବସିଲି । 

‘ଆହେ ଯମରାଜ, କର ଗୋ ସୁଦୟା

ଦିଅ ଆଶ୍ରା ତବ ପାଦେ’

କହି ବୁଢୀ ନିତି ଓଳଗି ହୁଅଇ

ଚେଇଁ ରହୁ ଅବା ନିଦେ ।

କାନ ପାଚିଗଲା, ଶୁଣି ଶୁଣି ନିତି

ବୁଢୀର ଏ ନିବେଦନ

ସଜବାଜ ହୋଇ ବାହାରିଲେ ଯମ

ନେବେ ଆଜି ବୁଢୀ ପ୍ରାଣ ।

ସଞ୍ଜବତୀ ଜାଳି ଚଉରା ମୂଳରେ

ଜଣୋଉଛି ତା’ ମାଗୁଣୀ

‘କାହିଁ ଗଲ ଆହେ ଯମରାଜ କେବେ

ଘେନିବ ମୋର ଦଇନି !

ଡାକି ଡାକି ତଣ୍ଟି ଶୁଖିଲାଣି କେବେ

ହେବ ଆଉ ତୁମ ଦେଖା

କେବେ ନେବ ଆଉ ଆର ପାରେ ଡାକି

କରିବାକୁ ତୁମ ସଖା !’

‘ଉଠ ଉଠ, ଆଉ ଚିନ୍ତା କରନାହିଁ

ଭକ୍ତିରେ ତୁମ୍ଭ ମୁଁ ପ୍ରିତ

ମମତାର ଡୋର ତୁଟେଇ ଆସ ଗୋ

ଯିବା ଆମେ ଆମ ଦେଶ !

ମିଥ୍ୟା ମାୟା ଭରା ଏଇ ଯେ ସଂସାର

କେହି ନୁହେଁ ଏଠି କା’ର

ଅଭିନୟ ସାରି ଫେରିବାକୁ ହେବ

ନିଜ ଘରକୁ ଏଥର ।

ଯା’ ପାଇଁ ଯେତିକି ଭୂମିକା ଲେଖନ୍ତି

ଏଠି ଜଗତର ସାଇଁ

ବାଧ୍ୟ ରହିବାକୁ ସର୍ବେ ଧରାଧାମେ

ସେତକ କରିବା ପାଇଁ ।

ତୁମ କଷ୍ଟ ନୁହେଁ ଅଚ୍ଛପା ତ ମତେ

ହେଲେ ହାତ ଥାଏ ବନ୍ଧା

ଯେତେ ଡାକିଲେ ବି ଆସିପାରେ ନାହିଁ

କର୍ତ୍ତବ୍ୟରେ ହୋଇ ଛନ୍ଦା ।

ସବୁ ଅଭିଯୋଗ ଦୂର କରିବାକୁ

ଆସିଛି ଆଜି ମୁଁ ଧାଇଁ

ଚାଲ ଏବେ ଆମେ ଘରକୁ ଫେରିବା

ଛାଡି ଏ ମିଥ୍ୟାର ଭୂଇଁ ।

ରଖିବି ନେଇ ମୁଁ ଇନ୍ଦ୍ରର ଭୁବନେ

କରିବ ଯେତେ ଅୟସ

ଯୌବନର ମଜା ଲୁଟୁଥିବ ନିତି

ବଢିବ ନାହିଁ ବୟସ ।’

‘କିଏ ସେ ତୁମେ ଗୋ, ଆସିଲ କୋଉଠୁ

ଡାକିଲା ତୁମକୁ କିଏ

ତୁମ ସାଙ୍ଗେ ଯିବି କେମିତି ଚାଲି, ମୋ

ଘର ଛାଡି ବାଏଁ ବାଏଁ !

ପୋଇମନ୍ଦାରେ ମୋ କିଏ ପାଣି ଦେବ

ସାଇତିବ ହାଣ୍ଡିଚୁଲି

ଗାଈ ଗୁହାଳ ମୋ ସଫା କେ’ କରିବ

ତୁମ ସାଙ୍ଗେ ଗଲେ ବୁଲି ?

ଯାଅ ବେଗେ ଏଠୁ, ବେଳ ନାହିଁ ପାଶେ

ସାରିବି ଦଶ ପାଇଟି

ସକାଳ ପାହିଲେ ପୁଅ ମୋ ଆସିବ

ପଠେଇଛି କାଲି ଚିଠି ।

ଆଜିକା ଦିନରେ ତର କାହିଁ ମତେ

ଶୁଣିବାକୁ ତୁମ ଥଟ୍ଟା

ଫୁର୍ସତ ପାଇଲେ ଆସିବ କେବେ ତ

ବସି ହେବା କଥାଭାଷା !’

‘ଫୁରୁସତ ତତେ କାହୁଁ ହେବ ବୁଢୀ

ମେଲିଛୁ ଯେତେ ଜଞ୍ଜାଳ

ତୋ’ ଫୁରୁସତକୁ ଚାହିଁ କି ବସିବ

କେବେ ଏଇ ଜନ୍ତୁରାଣ ?

ଏତେ ଯଦି ତୋର କାମ ଅଛି ଏଠି

ଡାକୁ କାହିଁ ରାତିଦିନ

ତୋ’ ଉପରେ କୃପା କରୁନାହିଁ ବୋଲି

ମିଛେ ଦଉ ଅପମାନ !

ସବୁ ଅଭିଯୋଗ ଦୂର କରିବାକୁ 

ଆସିଛି ଛାଡି ମୋ କାମ

ସଂସାର ଜଞ୍ଜାଳ ସରିଗଲା ଚାଲ

କରିବୁ ଏବେ ଆରାମ !’

‘ଲୋଡାନାହିଁ ମୋର ମିଛ ସେ ଆରାମ

ଛାଡିଦିଅ ଦୟାକରି

ମିଛେ ଡାକୁ ଡାକୁ ସତେ ଆସିଯିବ

କେବେ ତ ଭାବିନଥିଲି ।

ଆଉ ଡାକିବିନି କେବେ ମୁଁ ତମକୁ

ଏଇ ଥର ଦିଅ ଛାଡି

ମତେ ମୋ ଜଞ୍ଜାଳ ସବୁଠାରୁ ପ୍ରିୟ

ସ୍ୱର୍ଗେ ନପାରିବି ରହି ।

ଚାଳ ଛପରର ଏ କୁଡିଆ ଘର

ସବୁଠୁ ସୁନ୍ଦର ଅଟେ

ଇନ୍ଦ୍ରଭୁବନର ଶିରି ୟା’ ଆଗରେ

ଫିକା ଫିକା କେତେ ଲାଗେ ।

ତୁମେ ଫେରିଯାଅ ତୁମରି ବାଟରେ

ରହିବି ମୁଁ ମୋର ଏଠି

ଭକ୍ତି ଓ ଭକ୍ତର ସବୁ ସଂପର୍କକୁ

ଆଜିଠାରୁ ଦିଅ କାଟି ।’

ହସନ୍ତି ରାଜନ, ମଣିଷର ମନ

କେମିତି ବିଚିତ୍ର ଗାଡି

ସବୁଥିରେ ଲୋଭ ମନେ ଅଛି ଭରି

ତଥାପି ଛାଡନ୍ତି ରଡି !


Rate this content
Log in

More oriya poem from Kamala Satpathy

Similar oriya poem from Comedy