ପାର୍ବଣର ଋତୁ
ପାର୍ବଣର ଋତୁ
ସରିଲା ସରିଲା ପାର୍ବଣର ଋତୁ
ଆଶ୍ୱସ୍ତ ହୋଇଲେ ବାବୁ
ଚାନ୍ଦା ଦେଇ ଦେଇ ହଲକ ଶୁଖିଛି
କରଜରେ ଉବୁଟୁବୁ ।
ଗଣେଶ ପୂଜାରୁ ମାଡିଥିବା ଦୁଃଖ
କାର୍ତ୍ତିକରେ ହେଲା ଶେଷ
ଚାନ୍ଦାବାଲିଆଙ୍କ ପ୍ରକୋପରୁ ରକ୍ଷା
ମିଳିବ ଦି’ ଚାରି ମାସ ।
ଲୁଚିଛପି କେତେ ବାଟ ଭାଙ୍ଗି ଭାଙ୍ଗି
ଯାଇଛନ୍ତି ରାସ୍ତାଘାଟେ
ଚାନ୍ଦା ନୁହେଁ ସେ ତ, ଦେଇଛନ୍ତି ରକ୍ତ
ନିତି କେତେ ଦୁଃଖ କଷ୍ଟେ !
ରଖିଥିଲେ ଟଙ୍କା ପୁଅ ପାଇଁ ଗୋଟେ
କିଣିଦେବେ ସାଇକେଲେ
‘ସାହି ପୂଜା ଚାନ୍ଦା ଦିଅ’ ବୋଲି କହି
ସବୁ ସେ ଛଡେଇ ନେଲେ ।
ସେତିକିରେ ମନ ଭରିଲାନି ଆସି
ହୋଇଲେ ଘରେ ହାଜର
ପୂଜା ଦିନ ତକ ଲାଇଟ୍ ପାଣି ପାଇଁ
ମିଟର ତୁମ ଦର୍କାର ।
ମନା କଲେ ହେବ ଅସୁବିଧା ବଡ
ସାହିରେ ରହିବା ନେଇ
ତୁମ ଝିଅ ବୋହୂ ରାସତା ଘାଟରେ
ଚାଲି ପାରିବେନି କେହି
।
ଦୁଇ ହାତ ଖୋଲି ଦେଇଛନ୍ତି ପ୍ରଭୁ
ନାହିଁ ଊଣା କୋଉଥିରେ
ତାଙ୍କ ପୂଜା ପାଇଁ କୁଣ୍ଠା କର କାହିଁ
ଦେବାକୁ ତିନି ହଜାରେ ?
ଦେଇଥିଲେ ପାଇ, ପାଇଥିଲେ ଦେଇ
ଏ ତ ଠାକୁରଙ୍କ ବାଣୀ
ଏତେ ପାଠ ପଢି କି ଲାଭ ହୋଇଲା
ମୂଳ ନପାରିଲ ଜାଣି !
ବାବୁଙ୍କର ମୁଣ୍ଡ ଘୂରିଯାଏ ଶୁଣି
ଚାନ୍ଦାବାଲିଆଙ୍କ ତୋଡ
ଗଣେଷଙ୍କ ପରେ ବିଶ୍ୱକର୍ମା ସଜ
ତା’ପରେ ଦଶରା ମେଢ।
ତା’ ପଛକୁ ଅଛି କୁଆଁର ପୁନେଇଁ
ଗଜଲକ୍ଷ୍ମୀଙ୍କର ପୂଜା
ସେ ମେଢ ପାଣିରେ ପଡିବା ପୂର୍ବରୁ
କାଳୀ ମେଢ ପାଇଁ ସଜା ।
ତେତିଶ କୋଟିର ଦେବତାଙ୍କ ଘର
ଆମ ଏ ଭାରତ ବର୍ଷ
ସମସ୍ତଙ୍କ ପାଇଁ ଚାନ୍ଦା ଦେଉ ଦେଉ
ବୁଡିଗଲାଣି ସର୍ବସ୍ୱ ।
ପୂଜା ଯା’ ହେଉଛି, ଜାଣନ୍ତି ସଭିଏଁ
କହିବାକୁ ମାଡେ ଡର
ଠାକୁରଙ୍କ କୋପଦୃଷ୍ଟିରୁ ଅଧିକ
ଚାନ୍ଦାବାଲିଆଙ୍କ ଡର !
-0-