STORYMIRROR

Kamala Satpathy

Comedy

4  

Kamala Satpathy

Comedy

ସାନ ଶାଳୀ

ସାନ ଶାଳୀ

2 mins
555


ବାବୁ ଯାଉଥିଲେ ଶ୍ୱଶୁର ଘରକୁ

ପୁନେଇ ଡାକରା ପାଇ

ଶଳାଶାଳୀଙ୍କର ମେଳରେ ଦିନଟା

ଖୁସିରେ ଦେବେ କଟେଇ ।

ନୂଆ ନୂଆ ଜୋଇଁ ହେଇଛନ୍ତି ସିଏ

ବଡ ତାଙ୍କ ଥାଟ ବାଟ

ତାଙ୍କରି ସେବାରେ ଜୁଟିଯିବେ ସର୍ବେ

ନହେବ ଯେମିତି କଷ୍ଟ ।

କିଏ ଥୋଇଦେବ ପାଣି ଢାଳ ଆଣି

କିଏ ଦେବ ପାନ ଭାଙ୍ଗି

କିଏ ପାରିଦେବ ଶେଯ ଶରଧାରେ

କିଏ ଦେବ ତେଲ ଘଷି ।

ବଡ ଶଳା ତାଙ୍କ ଅଟେ ଟାଉଟର

କଥାରେ ପକାଏ ସର

କହିଥିଲା, ‘ଭାଇ ଆସିଲେ ଦେଖିବ

ହୋଇବ କେତେ ଖାତର ।‘

ସାନ ଶାଳୀ ନୂଆ କଲେଜ ମାଡଇ

ରୂପରେ ଲାବଣ୍ୟବତୀ

ପାଖରେ ପାଇଲେ ମିଛ ଆଳ କରି

ଗାଲଟାକୁ ଦେବେ ଚିପି ।

ତାହାରି ମୋହରେ ବାନ୍ଧିହୋଇ ସିଏ

ଆସନ୍ତି ଏଠିକୁ ନିତି

ହେଲେ ସେ ଚତୁରୀ ଡାକିଲେ ବି କେବେ

ଆସେନା ତାଙ୍କରି କତି ।

ଶଳା ଭାଉଜଙ୍କ ମୁହଁଟା ଗମ୍ଭୀର

ଦେଖିଲେ ମାଡଇ ଡର

ସତେ କିଏ ଖାଇ ଦେଇଛି ତାଙ୍କର

ଟଙ୍କା ଲକ୍ଷେ ଦି’ ଲକ୍ଷର !

ସାହି ପଡିଶାରେ ଆହୁରି ଅଛନ୍ତି

କେତେ ଯେ ସୁନ୍ଦରୀ ରାଧା

ହସ କଉତୁକେ ଦିନ ଯିବ ବିତି

ଦେବେନାହିଁ କେହି ବାଧା ।

କେତେ ପ୍ରକାରିଆ ସ୍ୱପ୍ନ ଦେଖି ଦେଖି

ହେଲେ ସେ ହାଜର ଯାଇ

ଦୂରୁ ଦେଖିଦେଇ ଶାଳୀଟି ତାଙ୍କର

ପାଖକୁ ଆସିଲା ଧାଇଁ ।

କହିଲା, “ଭାଇନା, ଭଲ କଲ ତୁମେ

ଆସିଗଲ ବେଳାବେଳି

ଅପେକ୍ଷା କରିଛି ତୁମ ସଙ୍ଗେ ମିଶି

ଯିବି ମୁହିଁ ଯାତ୍ରା ବୁଲି ।“

ମନେ ମନେ ଖୁସି ହେଇଗଲେ ବାବୁ

ଭାବିଲେ ସୁଯୋଗ ଭଲ

ମଉକା ପାଇଲେ, ଏକୁଟିଆ ଦେଖି

କରିଦେବେ ଟିକେ ଗେଲ ।

ଘରଣୀ ଅପେକ୍ଷା ତା’ ସାନ ଭଉଣୀ

କରିଛି ମନକୁ ବାଇ

ଯୋଉ ଦିନୁ ତାକୁ ଦେଖିଲେ ଆଖିରୁ

ଯାଇଛି ନିଦ ଉଭେଇ ।

ଶୟନେ ସ୍ୱପନେ ଜାଗରଣେ ତା’ର

ନାଆଁରେ ନାଚେ ହୃଦୟ

ବିବାହ ପୂର୍ବରୁ ଦେଖିଥିଲେ କରି

ଥାଆନ୍ତେ କିଛି ଉପାୟ ।

ଏବେ ଆସିଅଛି ସୁବର୍ଣ୍ଣ ସୁଯୋଗ

ଯାତ୍ରାର ବାହାନା କରି

ସବୁ ଓରିମାନା ମେଣ୍ଟେଇବେ ସିଏ

ଶାଳୀକୁ ସାଙ୍ଗରେ ଧରି ।

ବେଳ ରତ ରତ ବାହାରିଗଲେ ସେ

ଦେଖିବେ ବାରୁଣୀ ଯାତ

ଯାତ ନୁହେଁ ଏ ତ ଅନେକ ଦିନର

କାମନା ଅଟଇ ତାଙ୍କ ।

କହିଲା ସୁନ୍ଦରୀ, “କିଣିବି ଭାଇନା

ଶାଢି ଚୁଡି ବିନ୍ଦି କ୍ଲିପ୍

ଜଳିବେ ସମସ୍ତେ କହିବି ଯେବେ ମୁଁ

ଦେଇଛ ତୁମେ ଏ ଗିଫ୍ଟ୍ ।“

ଗରବରେ ଛାତି ଫୁଲିଗଲା ଫୁଟେ

ଦେଖେଇଲେ ବାହାଦୂରୀ

ଆଖିବୁଜା କିଣି ଚାଲିଗଲେ ସିଏ

ଆଗ ପଛ ନବିଚାରି ।

ମୁହଁଟା ଦିଶୁଛି ପୂର୍ଣ୍ଣମୀ ରାତିର

ଜହ୍ନ ପରି ଝଲମଲ

ଏଇ ରୂପ ତାଙ୍କୁ ଆଜିଯାଏଁ କେତେ

ନକରିଛି କଲବଲ !

ରାତି ଗଡିଗଲା, ପଇସା ସରିଲା

ଏବେ ଫେରିବାର ବେଳ

ଶାଳୀ କିନ୍ତୁ ହାତ ଛଡେଇ ଧାଇଁଲା

ଯୋଉଠି ଲୋକ ପ୍ରବଳ ।

ହାଆଁ ହାଆଁ କରି ବାବୁ ଧାଉଁଥିଲେ

ହଜିଯିବ ଶାଳୀ ରତ୍ନ

ସେ କିନ୍ତୁ ଭିଡରୁ କାହା ହାତ ଧରି

ଆସିଲା ଫେରି ତୁରନ୍ତି ।

କହିଲା, “ଭାଇନା, ଇଏ ତୁମ ସଢୁ

ହୋଇବାକୁ ଚାହୁଁଛନ୍ତି

ତୁମେ ଯଦି ଟିକେ ସାହାଯ୍ୟ କରନ୍ତ

ପ୍ରେମର ସୌଧ ତୋଳନ୍ତି ।

ବାପା ବୋଉ ଆମ ବିରୋଧ କରନ୍ତି

ରାଜି ହେଉନାହିଁ ଭାଇ

କହିଛି ମୁଁ ୟା’ଙ୍କୁ, ଭାଇନାଙ୍କ ଛଡା

ସାହା ମୋର କେହି ନାହିଁ ।

ତୁମେ ନବୁଝିଲେ ଜହର ଖାଇବି

ଲାଗିବ ପାପ ତୁମକୁ

ଭୂତ ହୋଇ ତୁମ ପିଠିରେ ସବାର

ରହିବି ସାତ ଜନ୍ମକୁ ।“

ଶାଳୀ କହୁଥିଲା, ବାବୁ ଶୁଣୁଥିଲେ

ଦେହେ ନାହିଁ ପଳେ ରକ୍ତ

କି ବୁଦ୍ଧି କରିଲେ, ଶାଳୀର ପ୍ରେମରେ

କରଜେ ଫସିଲେ ସେ ତ !

ଗାଡିଆ ଖୋଳିଲେ, ଜାଆଁଳା ଛାଡିଲେ

ଧରିବ ମାଛ କିଏ ସେ

ସିଏ ଗଣୁଥିବେ ସୁଧର ପଇସା

ଶୋଇବ ସଢୁ ଅୟସେ !

-0-


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy