STORYMIRROR

Kamala Satpathy

Abstract

2  

Kamala Satpathy

Abstract

ଝିଅ ଦେଖା

ଝିଅ ଦେଖା

2 mins
382

ଝିଅ ଦେଖି ଯାଇଥିଲେ ମହାପାତ୍ରବାବୁ

ରୂପର ଗୁଣର ବୋଲି ବୁଝିଥିଲେ ସବୁ

ଚାକିରି କରଇ ସରକାରୀ ଅଫିସିରେ

କ୍ୱାଟର ମିଳିଛି ତାକୁ ନଅ ନମ୍ୱରରେ

ମିଳିଛି ଅଫିସି ଗାଡି ଆଉ ମୋବାଇଲି

ବଡବଡିଆଙ୍କ କରେ କ୍ଲିଅର ଫାଇଲି

ଜଣାଅଛି ତାକୁ ବହୁ ଭିତର ଗୁମର

ପ୍ରାଣେ ଭୟ କରୁଛନ୍ତି ଚୋର ତସ୍କର

ଏମିତିଆ ଝିଅ ଗଲେ ପତ୍ନୀ ରୂପେ ପାଇ

ସବୁ ଚିନ୍ତା ନିମିଷକେ ଯିବ ଦୂର ହୋଇ

ଶୁଣୁ ଶୁଣୁ ସାଙ୍ଗସାଥି ଗଲେ ଖୁସି ହୋଇ

କହିଲେ, “ତୁ କପାଳିଆ ବଡ ଅଟୁ ଭାଇ

ଯେତେ ଯିଏ ପାରେ ଦେଇଗଲେ ଉପଦେଶ

ଝିଅ ଦେଖା ବେଳେ ବାବୁ ହସୁଥିବୁ ହସ

ପଡିବ ପ୍ରଭାବ ଝିଅ ଉପରେ ସେଇଟା

ଆଖିବୁଜି କରିଦବୁ କଥାଟାକୁ ପକ୍କା

ସରକାରୀ ଚାକିରିର ମହିମା ଅଧିକ

ଜୁହାର ତୁ ପାଉଥିବୁ ଜୀବନଟା ଯାକ

ଦରମା ଟଙ୍କାରେ ତୋର ନଲାଗିବ ହାତ

ଉପୁରିଆ ବ୍ୟବସ୍ଥାରେ ହେବୁ ଆତଯାତ

ଟିକେ ଉଣା ଲାଗିଲେ ବି କରିବୁନି ମନା

ରୂପ ସିନା ଦି’ ଦିନର, କୁର୍ସିକୁ ତୁ ଅନା

ଖୁସିରେ ଖୁସିରେ ମାନି ଗଲେ ଝିଅ ଘରେ

ଧାଇଁଆସି ଭାଇ ତା’ର ଡାକିନେଲା ଖରେ

ହାତଗୋଡ ଟେକି ଝିଅ ବସିଥିଲା ସେଠି

ଚାହିଁଲା ବାବୁଙ୍କୁ ଆଗ ଟିକିଏ ନିରେଖି

ନମସ୍କାର ନାହିଁ, ନାହିଁ ଜୁହାର ଓଳିକି

ହାତକଟା ଡ୍ରେସ୍ ସାଙ୍ଗେ ଓଠେ ଲିପିଷ୍ଟିକି

ଟିଭିରେ ଦେଖୁଛି ବସି କୁସ୍ତିର ଚାନେଲ

ନାହିଁ ରାମାୟଣ, ଶାଶୂ ବୋହୂ ସିରିଅଲ୍

ମୋଟାମୋଟି ଦେଖିବାକୁ ଝିଅ ମନ୍ଦ ନୁହେଁ

ପ୍ରଶ୍ନୋତ୍ତର ପାଇଁ ଆଗ ବସିଗଲେ ଦୁହେଁ

ପ୍ରଥମ ପ୍ରଶ୍ନଟି ଥିଲା ଦରମା ଉପରେ

ଥ ଥ ମ ମ ହୋଇ ବାବୁ କହିଦେଲେ ଧିରେ

ପ୍ରାଇଭେଟ୍ ଚାକିରିରେ ଦରମା ବା କିସ

ମହାନଗରର ଖର୍ଚ୍ଚ ନିତି କରଇ ବେହୋସ

ଘର ଗାଡି ଘୋଡା କିଛି କରିଛ କି ନାହିଁ

ବାହା ପରେ କୋଉଠେଇ ରଖିବ ବା ନେଇ

ଦରମାଟା ମୋର ସବୁ ରହିବ ବ୍ୟାଙ୍କରେ

ଘର ଚଳେଇବ ତୁମେ ନିଜ ପଇସାରେ

ବୁଲାବୁଲି ଖିଆପିଆ ସବୁ ଚାଲିବ ସ୍ୱଚ୍ଛନ୍ଦେ

ଶାଶୁ ନଣନ୍ଦର କାନ୍ଦ ଯେପରି ମୁଁ ନକାନ୍ଦେ

ପ୍ରତି ବର୍ଷ ଛୁଟି ନେଇ ଯିବା ଦୂର ଦେଶ

ମଉଜ କରିବା ଆଗ ପୂରା ପାଞ୍ଚ ବର୍ଷ

ତା’ପରେ ଯାଇ ବଢାଇବା ପରିବାର

ସେପର୍ଯ୍ୟନ୍ତ ଖୁଣ୍ଟା ଦେବନାହିଁ ବାରମ୍ୱାର

ସହଜେ ମିଳେନି ମତେ ଛୁଟି ଅଫିସିରୁ

ଛୁଟି ନେବା ତୁମ କାମ, କହିଦଉଛି ଆଗରୁ

ପିଲାଛୁଆ ସମ୍ଭାଳିବା ହେବ ତୁମ କାମ

ରବିବାରେ କରିବି ମୁଁ ପୂରା ଯେ ଆରାମ

ତୁମ ସାଥେ ଯିବିନାହିଁ କେବେ ତ ଗାଆଁକୁ

ନଆସିବେ ଗାଆଁଲୋକେ କେବେ ବି ଏଠିକୁ

ଚାକର ପୂଝାରୀ ସବୁ ରଖିବ ମୋ ପାଇଁ 

କାମ କରିବାଟା ମତେ ଜମା ଜଣାନାହିଁ

ବାସ୍ ବାସ୍ କଥା ତୁମ ସେତିକିରେ ଥାଉ

ବାହାହେବା ଲୋଡା ନାହିଁ ମୋର ବି ଆଉ

ଭରିଗଲା ମନ ତୁମ କଥା ଶୁଣି ଶୁଣି

ଛାତିର କମ୍ପନ ଆଉ ନପାରଇ ଗଣି

ପତ୍ନୀ ହେବ ତୁମେ, ନା ହେବ ମୋର ଯମ

କାନ୍ଦିବାର ଇଚ୍ଛା ନାହିଁ ହାତ ଧରି ତୁମ

କେତେ ସ୍ୱପ୍ନ ଦେଖି ଦେଖି ଆସିଥିଲି ଧାଇଁ

ଏମିତି ମାରିଲ ମାଡ କାନ୍ଦିବାକୁ ବାଟ ନାହିଁ

ସରକାରୀ ଘରଣୀର କରିବିନି ଲୋଭ

ଚାକିରିଆ ପତ୍ନୀ ବଡ ଅଟଇ ଦୁର୍ଲଭ

ଝିଅ ଦେଖା ମୋର ଆଜି ଏତିକିରେ ଥାଉ

ଆଖିବୁଜି ବାହାହେବି ଯା’କୁ ବାଛିବ ମୋ ବୋଉ

ପାଠ ଲୋଡାନାହିଁ, ନା ବି ଲୋଡା ଭଲମନ୍ଦ

ପତ୍ନୀ ଲୋଡେ ଯିଏ ମତେ କରିବ ପସନ୍ଦ

ମୋର ସୁଖେ ଦୁଃଖେ ଯିଏ ସୁଖୀ ଦୁଃଖୀ ହେବ

କଥାରେ କଥାରେ ମୋର ମନକୁ ମୋହିବ

ସେମିତିଆ ପତ୍ନୀ ଚାହେଁ, ଶୁଣ ଭଉଣୀ ଓ ଭାଇ

ଜାଣିଥିଲେ ଦେବ ଗୋଟେ ପ୍ରସ୍ତାବ ପଠେଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract