ବାବୁଙ୍କ ଶାଢ଼ୀ କିଣା
ବାବୁଙ୍କ ଶାଢ଼ୀ କିଣା
ଅକାଳେ ନାହିଁ କି ସକାଳେ ନାହିଁ
ମନ ହେଲା ବାବୁଙ୍କର
ଚମକେଇ ଦେବେ ପତିନୀକୁ ଆଜି
ଦେଇ ଶାଢି ଉପହାର
ବଜାରକୁ ଯାଇ ଦେଖିଲେ ମିଳୁଛି
କେତେ ଭଳି ଭଳି ଶାଢି
ମୂଲ୍ୟ ପଚାରିକି ମୁଣ୍ଡେ ହାତ ଦେଲେ
ଗଲା ହୋସ୍ ତାଙ୍କ ଉଡି
ରଙ୍ଗ ବେରଙ୍ଗର ଶାଢିରେ ଲାଗିଛି
ମାଳି ଚୁମୁକି ଓ ଜରି
ଫୁଲ ପତ୍ରେ ସଜା ଶାଢିକୁ ପିନ୍ଧିଲେ
ସୁନ୍ଦର ଦିଶିବ ଗୋରୀ
ଦୋକାନରେ ଭିଡ କାହିଁରେ କଅଣ
ନିଶ୍ୱାସ ହୁଅଇ ବନ୍ଦ
ମହିଳାଙ୍କୁ ଶାଢି ଦେଖେଇ ଦେଖେଇ
ଦୋକାନୀ କାନ୍ଦୁଛି କାନ୍ଦ
ଫୁରୁସତ କାହୁଁ ମିଳିବ ଯେ ତାକୁ
ବେଢିଛନ୍ତି ପଲେ ନାରୀ
କିଏ ସେ ବାଙ୍ଗରା, କିଏ ଅଟେ ଡେଙ୍ଗା
କିଏ କାଳୀ କିଏ ଗୋରୀ
ସମସ୍ତଙ୍କ ଇଚ୍ଛା ଏମିତିଆ ଶାଢି
ନେବେ କିଣି ସାରି ଟଙ୍କା
କଟ୍ରିନା କୈଫ୍ ର ରୂପ ବି ଦିଶିବ
ତାଙ୍କ ରୂପ ଆଗେ ଫିକା
ଏ କହେ ମୁଁ ନେବି, ସେ କହେ ମୁଁ ନେବି
ଏମିତିଆ ନୂଆ ଶାଢୀ
ପିନ୍ଧି ବାହାରିଲେ ମାଇପୀ ମହଲେ
ଚର୍ଚ୍ଚା ହେବ ଘଡି ଘଡି
ଯୋଉ ଶାଢି ପିନ୍ଧି ଫିଲିମି ନାୟିକା
ଜିଣିଛି ନାୟକ ମନ
ସେପରିକା ଶାଢି ମୋହର ଦର୍କାର
ଦେଖି ତୋଷିହେବେ ଜନ
ଗଦେଇ ଚାଲିଛି ଶାଢି ପରେ ଶାଢି
ପାଉନି କାହାର ମନ
ନୁହେଁ ତ ସହଜ ତାଙ୍କୁ ଭୁଲେଇବା
ଚାହାନ୍ତି ନୂଆ ପ୍ୟାଟର୍ଣ୍ଣ
ଦେଖୁଥିଲେ ବାବୁ ଶାଢିର ଗଦାକୁ
ତା’ ସାଙ୍ଗେ ଦୋକାନୀ ଝାଳ
କେତେ କଷ୍ଟ ଆହା କରୁଛି ଲୋକଟା
ଦେଖିଲେ ଲାଗେ ବିକଳ
ବେଶି ଝିନଝଟ କରିବେନି ଜମା
ନେବେ ଯା’ ପଡିବ ହାତେ
ପତ୍ନୀଙ୍କୁ ତ ଲୋଡା ଶାଢିଟିଏ ଖାଲି
ଦାମ୍ ହେଇଥାଉ ଯେତେ
ଉଠେଇ ନେଲେ ସେ ନାଲି ଶାଢିଟିଏ
କହିଲେ, ‘ବାନ୍ଧି ଦେ ଭାଇ’
ହାଁ କରି ଚାହିଁ ରହିଲା ଦୋକାନୀ
କେତେ ଶୀଘ୍ର ଦେଲେ ସାରି
କହିଲା, ‘ସାଆରେ, ଅଭିଜ୍ଞତା ମୋର
ଏ କ୍ଷେତ୍ରରେ ଅଟେ ଭାରି
ନଉଛ ଯା’ ପାଇଁ ଉପହାର ତୁମେ
ଚାହିଁବ ନା
ହିଁ ସେ ଫେରି
ଝାଳ ନାଳ ହୋଇ ବାଛିଲେ ରହିବ
ଉପହାର ଦେବା ମଜା
ପିନ୍ଧିଲା ଲୋକର ଖୁସିକୁ ଦେଖିଲେ
ଭୁଲିବ ବାଛିବା ସଜା
ଜାଣି ପାରୁଛି ମୁଁ ଅଭିଜ୍ଞତା ତୁମ ନାହିଁ
ଏ ଦିଗରେ ମୋଟେ
ନହେଲେ କି ଏତେ ଶାଢି ଥାଉ ଥାଉ
ନିଅନ୍ତ ଏଥିରୁ ଗୋଟେ
ସାନକୁହା ମୋର ମାନନ୍ତୁ ସାଆନ୍ତେ
ଖର୍ଚ୍ଚନ୍ତୁ ସମୟ କିଛି
ଦେବା ପାଇଁ ମନ କରିଛନ୍ତି ଯେବେ
ଦିଅନ୍ତୁ ଭଲଟେ ବାଛି
ଅବଜ୍ଞାରେ ମୁଣ୍ଡ ଝଟକି କହିଲେ,
‘ନାହିଁ କି କିଛି ମୋ କାମ
ଗୋଟେ ଶାଢି ପାଇଁ ଖରଚ କରିବ
କିଏ ବା ଗୋଟାଏ ଦିନ
ନଉଛି ଏଇଟା ବଡ କଥା କହ
ଖାଲିହାତେ ଯିବା ଲୋକ
ଯାହା ଗୋଟେ ନେଇ ପିନ୍ଧିଦେଲେ ଗଲା
କି ଲୋଡା ଦେଖା ପରଖ
ଦାନ୍ତ ଚିପି ଚିପି ହସିଲା ଦୋକାନୀ
ଦେଲା ଶାଢି ପ୍ୟାକ୍ କରି
ଘରେ ଆଜି ଯାହା ଘଟିବ ଏବେଠୁ
ପାରୁଥିଲା ସିଏ ଜାଣି
ବାବୁଙ୍କର ହାତେ ଶାଢିର ପ୍ୟାକେଟେ
ଘରଣୀଙ୍କ ମନ ଖୁସି
ମାତ୍ର ସେ ଶାଢିକୁ ଦେଖି ଉଡିଗଲା
ସୁନ୍ଦର ମୁହୁଁ ଫକାସୀ
ଭାବିଥିଲେ ତାଙ୍କ ପାଇଁ ଆଣିଛନ୍ତି
ଏତେ ଦିନେ ଯେବେ ଶାଢି
ଆଖି ଝଲସିଆ ରୂପ ଦେଖି ତା’ର
କାଲି ପଡିଯିବ ହୁରି
ବାବୁଙ୍କ ପସନ୍ଦ ଦେଖି ଚଢିଗଲା
ବ୍ଲଡ୍ ପ୍ରେସରିଆ ରକ୍ତ
“ଏମିତି ଶାଢିଟେ କାହିଁ ଆଣୁଥିଲ
କହିଲେ ହୋଇ ବିରକ୍ତ
“ଦେଖିଛ କି କେବେ ଏମିତି ବେଶରେ
ଯାଏ କୁଆଡେ ମୁଁ ବୁଲି
କିଏ କହୁଥିଲା ଆଣିବାକୁ ଶାଢି
ଏତେ ଟଙ୍କା ଖର୍ଚ୍ଚ କରି
ଯାହା ନକରିଛ ଯୁବା ବୟସରେ
କଲ କାହିଁ ଧଳା ବାଳେ
ମିଛୁଟାରେ ଖାଲି ନାଆଁ ସାରିହେଲ
ଦେଖୁ ଦେଖୁ ରାଗ ମାଡେ
ମୁହଁ ଫଣ ଫଣ କରି ଚାଲିଗଲେ
ଖଟେ ଫିଙ୍ଗିଦେଇ ଶାଢି
ଅଦିନ ପୀରତି ବାବୁଙ୍କ ମନରୁ
ଅସମୟେ ଗଲା ଝଡି
ଠିକ୍ କହୁଥିଲା ଦୋକାନୀ ପିଲାଟା
ଭାରି କଷ୍ଟ ଏଇ କାମ
ନାରୀଙ୍କ ମନକୁ ବୁଝିବା ସବୁଠୁ
ଅଟଇ ପରା ବିଷମ