STORYMIRROR

Kamala Satpathy

Inspirational

4  

Kamala Satpathy

Inspirational

ଡାକ ଚାକିରି

ଡାକ ଚାକିରି

1 min
203


ଡାକ ବିଭାଗିଆ ଅବସର ବାପା

କୁହନ୍ତି ପୁଅକୁ ହସି

“ଚାକିରି ଯଦି ତୁ କରିବୁ ଏଇଠି

ହେବ ମନ ମୋର ଖୁସି ।

ସର୍କାରୀ ଚାକିରି, ସୁରକ୍ଷା ଅଧିକ

ନାହିଁ ନିନ୍ଦା ଅପବାଦ

ସଫା ସୁତୁରାରେ ବିତିଯିବ ଦିନ

ଗଣିବୁ ନାହିଁ ପ୍ରମାଦ ।

ପଇଁତ୍ରିଶ ବର୍ଷର ଅଭିଜ୍ଞତା ମୋର

ପହିଲୁ ଦେବି ବୁଝାଇ

ରାଜା ଭଳି ଗାଦି ମାଡି ବସିଥିବୁ

କେହି ନଦେବେ ହଟେଇ ।

ଚାକିରି କରିବା ଆଳରେ କରିବୁ

ଦୁଃଖି ଜନତାଙ୍କ ସେବା

ଚିଠି, ପାର୍ସଲ, ମନି ଅର୍ଡରଟା

ସବୁ କାଳେ ଲୋଡା ବାବା ।

ଗାଆଁ ଗହଳିରେ ଚାତକର ସମ

ଚାହିଁ ବସିଥାନ୍ତି ବାଟ

ଡାକବାଲା ହାତୁ ପାଇବାକୁ ଚିଠି

ଜପୁଥାନ୍ତି ନାମ ଜପ ।

ହୋଇଗଲେ ତୁହି ଡାକ ଅଫିସର

ପାଇବୁ ଆଶୀଷ କେତେ

ଗରୀବ ଜନତା ଦୁଆରକୁ ତୋର

ଧାଉଁଥିବେ ନିତି ସତେ !”

ଚାହିଁଲା ଘଡିଏ ନିରବରେ ପୁଅ

ଆଖିରେ ମିଶେଇ ଆଖି

“ଦୁନିଆ ପହଞ୍ଚି ସାରିଲାଣି ଚନ୍ଦ୍ରେ

ଅଛ ତୁମେ ଡାକେ ଲାଖି !!

ସ୍ମାର୍ଟ ଫୋନ୍, କମ୍ପ୍ୟୁଟର ଯୁଗରେ କିଏ ସେ 

ଲେଖୁଅଛି କୁହ ଚିଠି

ତୁମେ କୁହ ଆଉ ଦେଖୁଛ କି କେହି

ଆସିବାର ଚିଠି ବାଣ୍ଟି !

ସଭିଙ୍କ ହାତରେ ମୋବାଇଲ୍ ଫୋନ୍

ହସ୍ତାକ୍ଷର ମନେ ନାହିଁ

ସାହେବ ହେଉ କି ପିଅନଟେ ହେଉ

ସୁଇଚି ଦାବିବା ଚାହିଁ ।

ଦିନ ଥିଲା ଯିଏ ଯାଉଥିଲା ଦୂର

ବିଦେଶକୁ ଘର ଛାଡି

ବାପା ବସୁଥିଲା ବାଟ ଚାହିଁ, ଚିଠି

ଲେଖିବ ସେ ଦୁଇ ଧାଡି ।

ଅଭ୍ୟାସ ସେ ଗଲା, ମନୋବୃତ୍ତି ଗଲା

ଆଉ ତେବେ କାହିଁ ମୋହ

କରିବ ସେଥିରେ ଚାକିରି କିଏ ସେ

ବାପା ତୁମେ ନିଜେ କୁହ !

ଏବେ ତ ମାସରେ ଥରେ ବି ନହୁଏ

ଡାକବାଲା ସଙ୍ଗେ ଭେଟ

ଏମିତି କୁନ୍ଥେଇ ମୁନ୍ଥେଇ ଆସୁଛି

ସତେ କି ଲାଗୁଛି କଷ୍ଟ ।

ନପହଞ୍ଚେ ଆଉ ସମୟରେ ଚିଠି

ଆସୁନି ମନିଅର୍ଡର

ଛତୁ ଫୁଟିଲାଣି ବ୍ୟାଙ୍କ୍ ଗାଆଁରେ 

ଯିବ କିଏ ଡାକ ଦ୍ୱାର !

ଟେଲିଗ୍ରାମ୍ କଥା କଅଣ କହିବି

କିଏ ବା ତାକୁ ଝୁରୁଛି

ଛାତିରେ ହାତକୁ ଦେଇକି କହିଲ

ବେଳହୁଁ କେହି ପାଇଛି !

ତୁମ ବାହାଘର ଟେଲିଗ୍ରାମ ବାପା

ଆଜି ବି ପହଞ୍ଚି ନାହିଁ

ତାହାରି ଭରସେ ରହିଥିଲେ ତୁମେ

କୋଉଠି ଥାଆନ୍ତି ମୁହିଁ !!

ତୁମ ଡାକଘର, ତୁମକୁ ମଞ୍ଜୁର

ନମସ୍କାର କରେ ମୁହିଁ

ସର୍କାରୀ ଚାକିରି କରିବାକୁ ବାପା

ଉପଦେଶ ଦିଅ ନାହିଁ ।“



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational