ଶୁଭ କାଉ
ଶୁଭ କାଉ
ଦିନ ଥିଲା ଶୁଭ କାଉ ଡାକ ଶୁଣି
ଘର ପଡୁଥିଲା ଉଚ୍ଛୁଳି
ଏବେ ସେ ଡାକରେ ଚମକି ଗୃହସ୍ଥ
ଦିନରେ ଉଠନ୍ତି ହାଉଳି
ସେଦିନ କବାଟ କୋଣରେ ବୋହୂଟି
କାଉର କାଆକୁ ଶୁଣି
ଖୁଦ ଦୁଇ ମୁଠା ଶରଧାରେ ନେଇ
ଦଉଥିଲା ଛାତେ ବୁଣି
କିଏ ସେ ଆସିବ ଦିଅ ଲୋ ଚାଉଳ
ଖାଇ କାଉ କହୁ ହରଷେ
କେହି ଆସିନାହିଁ ଗଲା ବରଷରୁ
ବସିଛି ଚାହିଁ ସେ ବିରସେ
ଭାଇ ଆସିବ କି ଭଉଣୀ ଆସିବ
ଦୂର ଦେଶ ବନ୍ଧୁ କେହି
ସମସ୍ତଙ୍କ ପାଇଁ ଥୁଅ ଲୋ ଚାଉଳ
ଥଣ୍ଟ ମାରି ଦଉ କହି
ଯାଆନାରେ କୁଆ ଆସିଯାଆ ଫେରି
ମୋ ରାଣ ଦଉଛି ତତେ
ଏ ପରଦେଶରେ ତୋ’ ଡାକ ମଧୁର
ଲାଗେ ଦିବାନିଶି ମତେ
ଚିଠି ଟେଲିଗ୍ରାମ୍ ଆସୁନିରେ କୁଆ
ଭୁଲିକି ଗଲେଣି ମତେ
ଝିଅ ବାହା ଦେଇ ଦାୟୀତ୍ୱ ଛିଣ୍ଡେଇ
ଗଲେ କି ଶୋଇ ସମସ୍ତେ
ଆଣିଛୁ କି କାଉ ଆମ ଗାଁ ଖବର
ମୋ ପାଇଁ ବିଶେଷ କିଛି
କାହା କଥା ଶୁଣି, କା’ କଥା ଛାଡିବି
ମାଟି ଗୋଡି ବି ଝୁରୁଛି
ଯୁଗ ବିତିଗଲା, ଦିନ ସରିଗଲା
କିଏ ବା ବସିଛି ରହି
>ମୋବାଇଲ୍ ଯୁଗେ ଶୁଭ କାଉ ବାଟ
ଆଉ କେ ବସିବ ଚାହିଁ
କେତେ ଥିଲା ମାନ, ଥାନ କାଉଟାର
ଏବେ ତ ମାଡଇ ଡର
କାଆ କରିଦେଲେ ଖଣ୍ଡେ ଦୂରେ ଏଠି
ମାଡି ବସୁଅଛି ଜର
ଏବେ ତା’ ଡାକଟା କର୍କଶ ଶୁଭୁଛି
କାହିଁକି ଏତେ କି ଜାଣ
କାରଣ ଅତିଥି ଆସିବା ଖବର
ବଢାଏ ହୃତ୍ ସ୍ପନ୍ଦନ
କେହି ଯଦି କହେ ଆସିବ ଘରକୁ
ଲୁଚନ୍ତି ଗୃହସ୍ଥ ଯାଇ
କାଉର ଡାକଟା ଭାରି ତ ଅଶୁଭ
ଉଡାଅ ଟେକା ପକେଇ
ଦରଦାମ ଯାହା ହେଲାଣି କିଏ ସେ
ଚାହିଁବ ଅତିଥି ବାଟ
ସମୟ ସାଙ୍ଗକୁ ମନଟା ବି ନାହିଁ
ଲାଗେ ସେବା ବଡ କଷ୍ଟ
ଉଡିଯାଆ କାଉ, ଉଡିଯାଆ ଦୂରେ
ନଆସ ମୋହରି ପାସ
କାହାରି ବାଟ ମୁଁ ଚାହିଁ ବସିନାହିଁ
କହି ଦଉଛି ମୁଁ ସ୍ପଷ୍ଟ
ତୋର ଡାକ ଶୁଣି, ଆସିବ ଯଦି ଯେ
ଦେଖିବୁ ରାଗ ମୋହର
ଏମିତି ମାରିବି ମାଡ ତତେ କେବେ
ମାଡିବୁନି ଘରଦ୍ୱାର
ଅଲକ୍ଷଣା ମୁହଁ ଲୁଚେଇ ରଖିକି, ଯା’
ବସିବୁ ଶତ୍ରୁର ଘରେ
ଅନ୍ତିମ ସପ୍ତାହେ ଅତିଥିଠୁ ବଳି ଆଉ
ଦଣ୍ଡ କିଛି ଅଛି କିରେ