STORYMIRROR

Kamala Satpathy

Abstract

2  

Kamala Satpathy

Abstract

ଶୁଭ କାଉ

ଶୁଭ କାଉ

1 min
149

ଦିନ ଥିଲା ଶୁଭ କାଉ ଡାକ ଶୁଣି

ଘର ପଡୁଥିଲା ଉଚ୍ଛୁଳି

ଏବେ ସେ ଡାକରେ ଚମକି ଗୃହସ୍ଥ

ଦିନରେ ଉଠନ୍ତି ହାଉଳି

ସେଦିନ କବାଟ କୋଣରେ ବୋହୂଟି

କାଉର କାଆକୁ ଶୁଣି

ଖୁଦ ଦୁଇ ମୁଠା ଶରଧାରେ ନେଇ

ଦଉଥିଲା ଛାତେ ବୁଣି

କିଏ ସେ ଆସିବ ଦିଅ ଲୋ ଚାଉଳ

ଖାଇ କାଉ କହୁ ହରଷେ

କେହି ଆସିନାହିଁ ଗଲା ବରଷରୁ

ବସିଛି ଚାହିଁ ସେ ବିରସେ

ଭାଇ ଆସିବ କି ଭଉଣୀ ଆସିବ

ଦୂର ଦେଶ ବନ୍ଧୁ କେହି

ସମସ୍ତଙ୍କ ପାଇଁ ଥୁଅ ଲୋ ଚାଉଳ

ଥଣ୍ଟ ମାରି ଦଉ କହି

ଯାଆନାରେ କୁଆ ଆସିଯାଆ ଫେରି

ମୋ ରାଣ ଦଉଛି ତତେ

ଏ ପରଦେଶରେ ତୋ’ ଡାକ ମଧୁର

ଲାଗେ ଦିବାନିଶି ମତେ

ଚିଠି ଟେଲିଗ୍ରାମ୍ ଆସୁନିରେ କୁଆ

ଭୁଲିକି ଗଲେଣି ମତେ

ଝିଅ ବାହା ଦେଇ ଦାୟୀତ୍ୱ ଛିଣ୍ଡେଇ

ଗଲେ କି ଶୋଇ ସମସ୍ତେ

ଆଣିଛୁ କି କାଉ ଆମ ଗାଁ ଖବର

ମୋ ପାଇଁ ବିଶେଷ କିଛି

କାହା କଥା ଶୁଣି, କା’ କଥା ଛାଡିବି

ମାଟି ଗୋଡି ବି ଝୁରୁଛି

ଯୁଗ ବିତିଗଲା, ଦିନ ସରିଗଲା

କିଏ ବା ବସିଛି ରହି

ମୋବାଇଲ୍ ଯୁଗେ ଶୁଭ କାଉ ବାଟ

ଆଉ କେ ବସିବ ଚାହିଁ

କେତେ ଥିଲା ମାନ, ଥାନ କାଉଟାର

ଏବେ ତ ମାଡଇ ଡର

କାଆ କରିଦେଲେ ଖଣ୍ଡେ ଦୂରେ ଏଠି 

ମାଡି ବସୁଅଛି ଜର

ଏବେ ତା’ ଡାକଟା କର୍କଶ ଶୁଭୁଛି

କାହିଁକି ଏତେ କି ଜାଣ

କାରଣ ଅତିଥି ଆସିବା ଖବର

ବଢାଏ ହୃତ୍ ସ୍ପନ୍ଦନ

କେହି ଯଦି କହେ ଆସିବ ଘରକୁ

ଲୁଚନ୍ତି ଗୃହସ୍ଥ ଯାଇ

କାଉର ଡାକଟା ଭାରି ତ ଅଶୁଭ

ଉଡାଅ ଟେକା ପକେଇ

ଦରଦାମ ଯାହା ହେଲାଣି କିଏ ସେ

ଚାହିଁବ ଅତିଥି ବାଟ

ସମୟ ସାଙ୍ଗକୁ ମନଟା ବି ନାହିଁ

ଲାଗେ ସେବା ବଡ କଷ୍ଟ

ଉଡିଯାଆ କାଉ, ଉଡିଯାଆ ଦୂରେ

ନଆସ ମୋହରି ପାସ

କାହାରି ବାଟ ମୁଁ ଚାହିଁ ବସିନାହିଁ

କହି ଦଉଛି ମୁଁ ସ୍ପଷ୍ଟ

ତୋର ଡାକ ଶୁଣି, ଆସିବ ଯଦି ଯେ

ଦେଖିବୁ ରାଗ ମୋହର

ଏମିତି ମାରିବି ମାଡ ତତେ କେବେ

ମାଡିବୁନି ଘରଦ୍ୱାର

ଅଲକ୍ଷଣା ମୁହଁ ଲୁଚେଇ ରଖିକି, ଯା’

ବସିବୁ ଶତ୍ରୁର ଘରେ

ଅନ୍ତିମ ସପ୍ତାହେ ଅତିଥିଠୁ ବଳି ଆଉ

ଦଣ୍ଡ କିଛି ଅଛି କିରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract