ଦେବା ନେବା କାରବାର
ଦେବା ନେବା କାରବାର
ଭୋଓଟ ଆସିଲେ ନୋଓଟ ର ଖେଳ
ଚାଲେ ଏଠି ଖୋଲାଖୋଲି
କିଏ କହେ ଦେବ ଶସ୍ତାରେ ଚାଉଳ
କିଏ କହେ ଦେବି ଡାଲି ।
ଦେଖେଇଲାଣି କେ’ ଦିନରେ ଚନ୍ଦ୍ର ତ
କିଏ ଥୋଇଲାଣି ଟିଭି
ଭୋଓଟ ର ପଥ ଭାରି ଖସଡା ଲୋ
ଯେ’ ଆସିବ, ଯିବ ଫସି ।
କେତେ ମିଠା ହସ, ମଧୁର ପରଷ
ହାତ ଥାଏ ମୁଣ୍ଡେ ଯୋଡି
ସେଇଦିନ ମୁଠା ପଡିଯାଏ ହାତେ
ଭୋଟ୍ ଗଲେ ବାକ୍ସେ ପଡି !
ଜନତାଙ୍କ ସେବା କରିବା ପାଇଁକି
ନେତାଙ୍କର ବଡ ମନ
ସେବା କେତେ ହେବ ସମସ୍ତଙ୍କୁ ଜଣା
ବଢିଯିବ ତାଙ୍କ ଧନ ।
‘କୃଷି ଋଣ ଛାଡ ହୋଇବ ଏଥର
ଗାଆଁକୁ ପକ୍କା ସଡକ
କେହି ରହିବେନି ଅନ୍ଧାରରେ ଆଉ
ଯିବ ବିଜୁଳି ଆଲୋକ ।
ଆମ ଦଳ କଲେ ସର୍କାର ଗଠନ
କରିବୁ ଏମିତି କାମ
ରାସ୍ତାଘାଟେ ଲୋକେ ନିର୍ଭୟେ ବୁଲିବେ
ନେଉଥିବେ ହରିନାମ ।
ଗୁଣ୍ଡାରାଜ୍ୟ ହେବ ଦେଶରୁ ଉଭାନ
ରାମରାଜ୍ୟର ସ୍ଥାପନା
ସେଥିପାଇଁ ଦିଅ ମାଆ ଭଉଣିଏ
ଭୋଅଟ ରୂପେ ବଇନା ।‘
କେତେ ମିଠା କଥା ଶୁଣି ଶୁଣି କାନ
ଭାଳେ ବସି ରାତିଦିନ
ସତେ ବଦଳିବ ଏ ପୋଡା କପାଳ
ଆରେ ବାବୁ ନବଘନ !!
ଦରଦାମ ଗଲା ଆଖିଛୁଆଁ ବଢି
ପାଉନାହିଁ ଭାଗମାପ
ପନ୍ଦର ଦିନକୁ ଦରମା ଖଲାସ
କରୁଥାଆ ନାମଜପ ।
ଝିଅ ବାହାଘର କେମିତି ହୋଇବ
ସୁନା ଦର ଆକାଶରେ
ପୁଅଘର କ’ଣ ସେ ଦୁଃଖ ବୁଝିବେ
<p>ଲୋଡା ତାଙ୍କୁ ଯୌତୁକରେ ।
ପୁଅ ପାଠ ପଢା ଅଧାରୁ ଛାଡିଲା
ଦରମା ନଦେଇ ପାରି
ପତ୍ନୀଙ୍କର ଦେହ ଦେଖେଇ ପାରୁନି
ଡାକ୍ତର ଫିସ୍ କୁ ଡରି ।
ଘର ଦି’ ବଖରା ଠିଆ କରିବାକୁ
ପାଏନି ସିମେଣ୍ଟ ବାଲି
ପତ୍ନୀଙ୍କ ଗହଣା ବନ୍ଧା ପଡିଅଛି
ଟଙ୍କା ନଅଣ୍ଟିଲା ବୋଲି ।
ପ୍ରଚାର ସମୟେ ନେତା କହୁଛନ୍ତି
ଜନତାଙ୍କ ଶକ୍ତି ବଡ
ଭୋଓଟ ରୂପରେ ଅଛି ପାସେ ଅସ୍ତ୍ର
ଭାଙ୍ଗିବାକୁ ସବୁ ତୋଡ ।
ଭାରି ମିଠା ଲଗେ ଶୁଣିବାକୁ ସିନା
ହେଲେ ଫମ୍ପା ଶବ୍ଦଟିଏ
ସେ ଶସ୍ତ୍ରକୁ ଡରି କୋଉ ନେତା ଭଲା
ଜନତାକୁ ଖୁସି ଦିଏ ?
ଯୋଉ ଟିଭି, ଡାଲି, ସ୍କୁଟର ଫ୍ରିଜି
ଦେବା କଥା କହୁଛନ୍ତି
ଆଣିବେ କୋଉଠୁ ଆଗ ତା’ ଉତ୍ତର
ଜନତା ପଚାରୁଛନ୍ତି !
ହାତେ ନମାରିକି, ଭାତେ ମାରିବାକୁ
ନେତା ହେଉଛନ୍ତି ସଜ
ସେଥିପାଇଁ ପରା ‘ଆନ୍ନା’ର ଡାକରେ
ତାତିଲେ ଯୁବ ଫଉଜ !
ବହୁତ ସହିଲୁ, ଆଉ ନସହିବୁ
କୁହନ୍ତି ସଭିଏଁ ମିଶି
ପ୍ରଶ୍ନଟା ଉଠୁଛି ମନେ ବାରମ୍ୱାର
ଉତ୍ତରେ ହୋଇବି ଖୁସି ।
ଅସ୍ଥି ମଜ୍ଜାଗତ ହୋଇଅଛି ଯୋଉ
ସିଷ୍ଟମ ବଦଳିଗଲେ
ହେବ କି ଫାଇଦା ଜନତାଙ୍କୁ ସିଧା
ସେ ରାମରାଇଜେ ଭଲେ !
ଦେବା ନେବା କାରବାର ବନ୍ଦ ହେଲେ
ଚାଲିବ କି ଆମ ଗାଡି
ଅଫିସିରେ କାମ ହୋଇବ କି ସତେ
ନମିଳିଲେ ତେଲ ଘଡି !!
-0-