ପାଳଭୂତ
ପାଳଭୂତ
(ରମ୍ୟ ରଚନା)
କୁଆଁର ପୁନେଇଁ ଜହ୍ନ ପଡ଼ିଛି
ଆସିଛି ପାଳଭୂତ,
ତା'ପଛେ ପିଲା ଅନେକ ପୁଣି
ମଗା ଚାଲିଛି ଖର୍ଚ୍ଚ।
ମଜା ମଉଜ ଯେ ଗାଆଁ ଦାଣ୍ଡ
ଖୁସିରେ ଫାଟି ପଡ଼େ,
ପିଲାମାନଙ୍କ ହୋ ହାଲ୍ଲାରେ
ଆନନ୍ଦେ ପେଟ ପୁରେ।
ଉପର ସାହି ମକରା ଆଜି
ହୋଇଛି ପାଳଭୂତ,
କୁକୁର ଭୁକନ୍ତି ତାକୁ ଦେଖି
ଭୂତ ହଲାଏ ହାତ।
ଏପଟୁ ଆସେ ଡାଳ ଭୂତଟି
ତଳ ସାହିର ନଟ,
ପାଳ ନ ପାଇ ଡାଳ ଘୋଡେ଼ଇ
ହୋଇଛି ଡାଳ ଭୂତ।
ମାଟି ହାଣ୍ଡିରେ ଆଖି ଓ ଦାନ୍ତ
କରି ମୁଣ୍ଡରେ ପିନ୍ଧି,
ପିଲାମାନଙ୍କୁ ଡରଉଅଛି
ଛାଡୁଛି ଘୋର ରଡ଼ି ।
ପାହୁଲ ଫାଡ଼ି ଗୋଡ଼ ଚତାରି
ଭୂତ ଚାଲିଲା ବେଳେ,
ଧକ୍କା ହେଲା ସେ ପାଳଭୂତରେ
ଛକର ମଝିଟାରେ।
ହଠାତ୍ କୁଣ୍ଢାକୁଣ୍ଢି ସେ ହୋଇ
ଲାଗିଲେ ଗଡାପଡା ,
ଛକ ପାଖର ନର୍ଦ୍ଦମା ମଧ୍ଯେ
ଦୁହେଁ ପଡିଲେ ପରା।
ଭୂତ ଦୁହିଁଙ୍କ ଦେହଟି ଶୂନ୍ୟ
ନାହିଁ ତ ଡାଳ ପାଳ,
ପୁରା ଉଲଗ୍ନ ସେ ଦୁଇଜଣ
ବିରାଟ ଗଣ୍ଡଗୋଳ।
ଯିଏ ଦେଖିଲା ସିଏ ହସିଲା
ମୁହଁରେ ହାତ ଦେଇ,
ଯା'ହେଉ ଆମେ ଥିଲୁ ବୋଲିକି
କଳି ଦେଲୁ ଭଙ୍ଗେଇ।
ଉପର ସାହି ତଳ ସାହିର
କେବେ ବି ପଡେନାହିଁ,
ସେଇଥିପାଇଁ ଯୁଦ୍ଧ ଲାଗିଲେ
ପୂର୍ବ ଶତ୍ରୁତା ନେଇ।
ମୁଁ ଥିଲି ସେଠି ଭୂତଙ୍କୁ ଡାକି
ଏ କଥା ପଚାରିଲି ,
ଭୂତ ହୋଇଛ ଭଲ କରିଛ
ମାଗୁଛ କାହିଁ ବୁଲି ?
ପିଲେ କୁହନ୍ତି ଟଙ୍କା ନେଇକି
ହେବ ଚିକେନ ଫିଷ୍ଟ ,
ଏଭଳି ମଜା ବର୍ଷକେ ଥରେ
ଭୂତ ଟଙ୍କା ମାଗୁଛି।
ସାବି, ସବିତା ,ମଲ୍ଲୀ, କୁସୁମ
ଗୋବର କଣ୍ଟିଫୁଲେ,
ଓଷା ନାଆଁରେ ଚିକେନ ପାଇଁ
ପଇସା ମାଗୁଥିଲେ।
ଗାଆଁ ବାଟରେ ବାଇକି ଅଟୋ
ଗୋଟେ ଛାଡନ୍ତି ନାହିଁ,
ରସିଟି ଟାଣି ଘେରି ଯାଆନ୍ତି
ଟଙ୍କା ଆଦାୟ ପାଇଁ।
କୁଆଁରପୁନେଇଁ ଓଷାବାସି
କରିବେ ଛାଡଖାଇ,
କଲର ବାର୍ଡ କୁକୁଡା ଆଣି
ଖାଇବେ ମେଳ ହୋଇ।
ହଉ ହେଲା ଯେ ଫିଇଷ୍ଟ କର
କିଛିତ କଥା ନାହିଁ,
ହେଲେ ନିଜ ଓ ନିଜ ଭିତରେ
ଯୁଦ୍ଧ ଲାଗୁଛ କାହିଁ ?
ଦେହଟି ପଛେ ହେଉ କୁଣ୍ଡେଇ
ହୁଅ ହେ ପାଳଭୂତ,
ଡାଳପତରେ ଭୁତ ହୋଇକି
ପ୍ରଥା ନ କର ନଷ୍ଟ।
ଶୁଣ ହେ ପିଲେ ପ୍ରକୃତ ଭୂତ
କିଏ ଦେଖିଛ କୁହ,
ପ୍ରକୃତ ଭୂତ ଆଜିକାଲିର
ଅବୁଝା ପୁଅଝିଅ।
ଯିଏ ଡରାଏ ଭୂତଟି ସିଏ
ଭୂତ ଅର୍ଥଟି ଡର,
ପ୍ରତି ମୁହୂର୍ତ୍ତେ ପିଲାମାନଙ୍କୁ
ବାପାମାଆଙ୍କ ଡର।
ମୋହର ଆଜି ଅମୁକ ଦିଅ
କାଲି ସମୁକ ଦିଅ,
ନ ହେଲେ କାଲି ଦେଖିବ ତମେ
ମୋହର ମଲା ମୁହଁ।
ତେଣୁ ହେ ପିଲେ ପିତାମାତାଙ୍କୁ
ଏଭଳି କୁହ ନାହିଁ,
ପାଳଭୂତରୁ ପ୍ରକୃତ ଭୂତ
ହୋଇ ଡରାଅ କାହିଁ?
ଏହା କହି ମୁଁ ଦୁଇ ଭୂତଙ୍କ
ଫଟୋ ବି ଉଠେଇଲି,
ଫେସବୁକ୍ ଖୋଲି ମୋବାଇଲରେ
ଫଟୋ ବି ପୋଷ୍ଟ କଲି।
ପାଳଭୂତ ଓ ଡାଳଭୂତଙ୍କୁ
ଲୋକେ ଲାଇକ୍ କଲେ,
ନିଆରା ଭାବ ଏ ପାଳ ଭୂତ
ଅନେକ ପ୍ରଶଂସିଲେ।।
ଆମ ସଂସ୍କୃତି ଏବେ ବଞ୍ଚିଛି
ଭାବି ଆନନ୍ଦ ହେଲି,
ଆମ ଓଡ଼ିଆ ଭାରି ବଢ଼ିଆ
ଗରବ ମନେ କଲି।
ଭାବେ ଆଗକୁ ପାଳଭୂତଙ୍କ
ମିଟିଙ୍ଗ୍ କରାଇବା,
ପ୍ରଥମ,ଦ୍ଵିତୀୟ,ତୃତୀୟ ବାଛି
ପୁରସ୍କାର ବି ଦେବା।
