କାଶତଣ୍ଡୀ ଫୁଲ
କାଶତଣ୍ଡୀ ଫୁଲ
ବରଷା ବତାସ ଫେରିଯାଏ କ୍ରମେ
ଭବରଙ୍ଗମଞ୍ଚ ଛାଡି
ନିର୍ମଳ ଗଗନ ହରି ନିଏ ମନ
ଧରଣୀ ସବୁଜ ଶାଢୀ ||
ନଈରେ ନଥାଏ କୂଳଲଙ୍ଘା ସୁଅ
କ୍ଷୀଣହୁଏ କ୍ରମେ ସ୍ରୋତ
ପଠାରେ ତାହାର ଆନନ୍ଦ ଲହରୀ
ଦେଖରେ ସାଥି ସଙ୍ଗାତ ||
ନଦୀର ପଠାରେ କ୍ଷେତର ହିଡରେ
ପାଦଚଲା ରାସ୍ତା ଧାରେ
ଖିଲି ଖିଲି ହୋଇ ହସେ କାଶତଣ୍ଡୀ
ସଭିଙ୍କର ମନହରେ ||
ଶରତର ଏହି ଆଗମନ କ୍ଷଣେ
କାଶତଣ୍ଡୀ ଝୁଲି ଝୁଲି
ପାର୍ବଣର ଋତୁ ଆସିଗଲା ବୋଲି
କହୁଛି ହୃଦୟ ଖୋଲି ||
ମେଘମୁକ୍ତ ଆଜି ଗଗନ ପ୍ରଦେଶ
ଭାସ୍କର କରେ ଝଲସେ
ତା ଶୁଭ୍ର କିରଣେ କାଶତଣ୍ଡୀ ଫୁଲ
ଧୋବ ଫରଫର ଦିଶେ ||
କାଶତଣ୍ଡୀ ମେଳେ ମୋ ଫୁଲେଇ ପ୍ରିୟା
ମୁରୁକି ମରୁକି ହସେ
ଆଖିରେ ତାହାର ଆଖିଏ ସପନ
ମୃଦୁ ପାଦଛନ୍ଦେ ଆସେ ||
କାଶତଣ୍ଡୀକୁ ସେ ତା ଗାଲେ ଲଗାଇ
ଲାଜେଇ ଲାଜେଇ ହସେ
ତନୁ ପାତଳି ସେ ଅଳସୀ ଜହ୍ନ ଟେ
ମୋମନ ଆକାଶେ ଭାସେ ||
ଶରତ ପବନେ କାଶତଣ୍ଡୀ ନଇଁ
କହେ ମୋର ପ୍ରିୟା କାନେ
ମନ ଖୋଲି ସବୁ କଥା କହିଦିଅ
ରଖନାହିଁ କିଛି ମନେ ||
ମୁଁ ଦିଶେ ଯେମିତି ଧୋବ ଫର ଫର
ହୃଦୟକୁ କର ସଫା
ଶରତର ଶାନ୍ତ କାନ୍ତ ଜହ୍ନ ଯେହ୍ନେ
ଜୋଚ୍ଛନା ଢାଳଇ ତୋଫା ||
ହୃଦୟ ମନକୁ ଆବିଳତାମୁକ୍ତ
କରିଦିଅ ଆଜି ତୁମେ
ପାଟିରୁ ନଝରୁ ପଦେ କଟୁ କଥା
ଥିବାଯାଏ ଧରାଧାମେ ||
