ଅଶ୍ରୁଲିପିରେ କବିତା
ଅଶ୍ରୁଲିପିରେ କବିତା
ରାସ୍ତା କଡର ଏକ ନୀରବ ପୋଷ୍ଟର ପରି,
ମୁଁ ଚିତ୍କାର କରେ ବାରମ୍ବାର ।
ଜୀବନର ଚିହ୍ନା ଯନ୍ତ୍ରଣା ମାନଙ୍କୁ,
ବିଜ୍ଞାପିତ କରାଏ ନିଜ କବିତା ଭିତରେ ।
କିନ୍ତୁ ସେଇ ଦର୍ଦକୁ ସେଇ ମାନେ ହିଁ ପଢି ପାରନ୍ତି,
ଯେଉଁମାନେ ଅଶ୍ରୁ ଲିପି ଜାଣି ଥାଆନ୍ତି ।
ଏକ ଲିପି, ଯେଉଁଥିରେ ଜୀବନର ଅକ୍ଷର ମାନେ,
କେବଳ ହାସ୍ୟ ବର୍ଣ୍ଣମାଳାରେ ଶ୍ରେଣୀ ଭୁକ୍ତ ହୋଇ ନ ଥାନ୍ତି ।
ଏହା ସତ, ମୋ କବିତା ଅସୁନ୍ଦରୀ ହୋଇପାରେ ତୁମପାଇଁ ।
କିନ୍ତୁ, ଅଶୋକ ବାଟିକାରେ,
ସୀତାଙ୍କ ସେବା କରୁଥିବା ତ୍ରିଜଟା ପରି ସୁନ୍ଦରୀ, ମୋ କବିତା !
ଇନ୍ଦ୍ରର ରାଜସଭାରେ ନର୍ତ୍ତକୀ ମେନକା ପରି,
ସୁନ୍ଦରୀ ନ ହୋଇପାରେ ମୋ କବିତା ,
କିନ୍ତୁ ,କୃଷ୍ଣଙ୍କୁ ଦୁଧ ପିଇଯାଉଥିବା
ପୁତନା ପରି ସୁନ୍ଦରୀ ମୋ କବିତା !
ମୋ କବିତା ଶାପଗ୍ରସ୍ତ ହୋଇପାରେ,
ଧନୁର୍ଦ୍ଧାରୀ ଅର୍ଜୁନ, ଵୃହନ୍ନଳା ହେଲା ପରି ।
କିମ୍ବା, ବ୍ରହ୍ମାଙ୍କର ବରପ୍ରାପ୍ତି କରି,
ରକ୍ତବୀଜ ପରି ହୋଇ ପାରେ, ମୋ କବିତା,
ପ୍ରତି ରକ୍ତ ବିନ୍ଦୁରେ, ନୂଆ ରକ୍ତବୀଜ ସୃଜନ ପାଇଁ ।
ଉଭୟ ଶାପଗ୍ରସ୍ତ ଓ ବରପ୍ରାପ୍ତ ବି ହୋଇ ପାରେ
ଗୌତମର, ପଥର ଅହଲ୍ୟା ପରି !!
ମୋ' କବିତା ଲେଖାଯାଏ ଅଶ୍ରୁଲିପିରେ !