ସ୍ବପ୍ନ ଓ ନିର୍ଜନ ରାସ୍ତା
ସ୍ବପ୍ନ ଓ ନିର୍ଜନ ରାସ୍ତା
ଯେତେବେଳେ ଖର୍ଚ୍ଚ କରିବାକୁ ଥିଲା ପୁରା ଜୀବନ,
ତାଙ୍କୁ ସଂଚୟ କରିବାର ଉପାୟରେ ଲାଗି ରହିଲି ।
ଆଉ ଏବେ ନିଜ ଚାରିପଟେ,
ପଡି ରହିଥିବା ଉଦାସ ସମୟକୁ ଦେଖୁଛି;
ହଜି ଯାଇଥିବା ବସନ୍ତ ପରି !
ଆରମ୍ଭ ହୋଇଥିଲା ଗୋଟିଏ ସ୍ଵପ୍ନରେ
ପାଲଟି ଯାଇଥିଲା ବହୁ ସ୍ୱପ୍ନକୁ ।
ସ୍ଵପ୍ନରୁ ବି ବାହାରିଥିଲେ ଅନେକ ସ୍ୱପ୍ନ !
ସ୍ୱପ୍ନ ଦେଖି ଦେଖି ଥକି ଯିବାର ଫୁଟ୍ ପାଥ୍ ବହୁତ ଲମ୍ବା ଥିଲା ।
ଘଣ୍ଟା ଘଣ୍ଟାର କଠିନ ଯାତ୍ରା କରିବାକୁ ପଡିଥିଲା ସ୍ୱପ୍ନ ପାଇଁ,
ଆୟୁଷରୁ କିଛି ବର୍ଷ ବାହାର କରିନେଇ,
ଜୀବନଟାକୁ ଦିନେ ରୁମାଲ୍ ପରି;
ଚଉ ଭାଙ୍ଗ କରିବାକୁ ପଡିଥିଲା ।
ଆଉ ଏବେ କେବଳ ରାତି, ଗଭୀର ଅନ୍ଧାରୁଆ ରାତି ।
ସ୍ୱପ୍ନ ମାନେ ନିଦର ଟ୍ରେଜେରିରେ ଏବେ ବନ୍ଦୀ;
କେବଳ ଚିତ୍କାର କରନ୍ତି ।
ଶୁଣିପାରେ ମଧ୍ୟରାତ୍ରିରେ ଏକ ଆର୍ତ୍ତ ଚିତ୍କାର ।
ତାହା କାହାର ? ସେଦିନର ଅଧୁରା ସ୍ୱପ୍ନର,
ନା' ଆଗକୁ ଆସିବାକୁ ଥିବା ଚିର ନିଦ୍ରାର ?
କିଛି ବି -
ଯାହା କିଛି ବି ରହିଗଲା ଜୀବନର;
ତାହା ଥିଲା ଅସ୍ପଷ୍ଟ ଓ ଧୂଆଁଳିଆ,
ଆଲବମ୍ ର ପୁରୁଣା ଫଟୋ ପରି ।
ପୀତ ବର୍ଣ୍ଣା ସ୍ମୁତିର କୁହୁଡି ମାନେ,
ଉଦାସୀ ଆଖିର ବୋହି ପାରୁନଥିବା ଲୁହରେ ତରଳି ଯାଆନ୍ତି ;
ଯେହେତୁ କରିବାକୁ ଥିଲା ବହୁତ କିଛି ।
ସମୟ ପଠାଇଥିବା ଗୋଟିଏ ପୁରୁଣା ଚିଠିର
(ଯାହା ଜୀବନ ପରି କେବେ ନୂଆ ନ ଥିଲା)
ଉତ୍ତର ଲେଖିବାକୁ ଥିଲା ।
ଚିଠିରେ ଲେଖା ଥିବା ପ୍ରଶ୍ନ ମାନେ ଉତ୍ତର ଚାହୁଁଥିଲେ ।
ଲାଇନ୍ ରେ ଛିଡା ରହିଥିଲେ ଦାୟାଦ ମାନେ,
କେତେ ସ୍ୱପ୍ନ ଦେଖିବାକୁ ରାତି ଖୋଜୁଥିଲେ ସେମାନେ ।
ଲାଇନ୍ ରେ ଛିଡା ରହିଥିଲା ମୋ' ଜୀବନ,
କେତେ କଣ ବାକି ରହିଗଲା ଖୋଜୁଥିଲା ଜୀବନ ।
ଏକ ବୟସ୍କ, ପାକଳ ହେଇ ଯାଇଥିବା ସନ୍ଧ୍ୟାରେ,
ନିସ୍ତବ୍ଦ ହୋଇ ଛିଡା ରହିଥିବା ରାସ୍ତା ଉପରେ,
ଉତୁରି ପଡିଥିବା ଫୁଲିଲା ମୁହଁ ସାମ୍ନାରେ ,
ଆଉ ଗୋଟେ ସନ୍ଧ୍ୟା ଥିଲା ।
ଗାଢ଼ ଅନ୍ଧାର ଏବଂ ଉଦାସ ।
ଆଉ ଗୋଟେ ରାସ୍ତା ଥିଲା ,
ଯିଏ ବହୁ ବର୍ଷ ଧରି ଏକୁଟିଆ ଛିଡା ରହିଥିଲା ।
ମୋ' ପରି ଆଉ କିଛି ଲୋକ ଥିଲେ,
ଯେଉଁମାନେ କେବଳ ଚକ୍କର ମାରୁଥିଲେ ।
ସେ ରାସ୍ତାର ଶେଷ ଜଣା ନାହିଁ ,
ଆରମ୍ଭ ତ ଏବେ ଏବେ ଆରମ୍ଭ ହୋଇଛି !
କିଏ କହିପାରେ ତାର ଦୁଃଖଦ ଅନ୍ତ ହୋଇପାରେ,
କିମ୍ବା ସୁଖ ପ୍ରଦାୟକ ଯାତ୍ରାଟିଏ ହୋଇପାରେ,
କିଛି ବି ନ ହୋଇ ରାସ୍ତାଟି ସରି ଯାଇପାର ବିତି ଯାଇଥିବା ଜୀବନରେ କରି ହୋଇଥାନ୍ତା ବହୁତ କିଛି !!