ଜହ୍ନର ଧଳା ଚାଦର ତଳେ ମୃତ୍ୟୁ ସହ ରମଣ
ଜହ୍ନର ଧଳା ଚାଦର ତଳେ ମୃତ୍ୟୁ ସହ ରମଣ
ମାଇଲ୍ ମାଇଲ୍ ବାଟ
ଝାମୁର ରଡ଼ ଅଂଗାରରେ
ଚାଲିବା ପରେ,
ବଡ଼ ଶୀତଳ ଲାଗେ ମୃତ୍ୟୁ ।
ସରିଯାଏ, ଚାଲିବାକୁ ଥିବା
ସବୁ ହ୍ରସ୍ୱ କିମ୍ବା ଦୀର୍ଘ ରାସ୍ତା,
ଦିନେ ଅକସ୍ମାତ୍ ।
ଶୀତଳ ହୋଇଯାଏ ଦେହ ଓ
ଦେହ ଭିତରର ଉଷୁମ ରକ୍ତ ଓ ସ୍ନାୟୁ ।
କାଠ ପରି ପଡ଼ି ରହିଯାଏ ଦେହ,
ଚିତ୍ ହୋଇ ଖଟିଆ ଉପରେ ।
ହାତ ମାରିଲେ ଲାଗେ,
ବରଫ ପରି ଥଣ୍ଡା !
ଜୀବନ ବୋଲି ଯାହାକୁ କହନ୍ତି -
ସେ ତ ସାପକାତି ଛଡାଇଲା ପରି
ଉତ୍ତାରେ, ନାରୀ ଦେହକୁ ବେଢ଼େଇଥିବା
ଲାଜ ଭିଜା ଲୁଗା ।
ରମିବାକୁ ନିତମ୍ବ ଓ ଜଘନର ଗୋପନ ଅଳନ୍ଦି,
ଛୁଇଁବାକୁ ଦୁଇଟି ଅମାନିଆ ବର୍ତ୍ତୁଳ ମାଂସାଳ ପିଣ୍ଡୁଳା,
ଦେଖିବାକୁ ମ୍ଳାନ ଆଲୁଅରେ ସ୍ତ୍ରୀଲିଙ୍ଗୀ ଛାତିର ଲାଲ ଜାଇ ।
ସୌଷ୍ଠବରେ ଆକର୍ଷିତ ହୋଇ,
ଜୀବନ ତାର ଅର୍ଥ ଖୋଜି ପାଏ,
ସାମ୍ନାର ଦେହ ଅଭିଧାନରୁ ।
ମନର କଦମ୍ବ ବୃକ୍ଷେ ଦୋଳି ବାନ୍ଧି
ଜୀବନ ଝୁଲେ ;
ହାତେ ଲମ୍ବ ଜିଭ କାଢି,
ଧଇଁପେଲା ଶ୍ଵାନ ପରି ।
ଓଃ ଜୀବନ ! ତୁ କେତେ ସୁନ୍ଦର !
ତୋ' ଭିତରେ କେତେ ପ୍ରଶାନ୍ତି !
କେତେ ସୁଖ ! କେତେ ଆନନ୍ଦ !
କଙ୍କାଳର ନଈ ଉପରେ ପହଁରୁ ପହଁରୁ,
ବର୍ଷାଋତୁ ଆଣ୍ଠୁମାଡ଼ି ବସିପଡ଼େ,
କଳା ମେଘ ଧରି ।
ଦେହ ଓହ୍ଲାଇ ପଡେ ଦେହରୁ,
କଦମ୍ବର ଦୋଳିରୁ ।
ଓହ୍ଲାଇ ଆସି ବସି ପଡେ ;
ଯେମିତି ବସିଥାଏ, ବୈଶାଖର ନିଦାଘରେ
ଡାମରା ଥଣ୍ଟ ମେଲାଇ !
ଦିନେ କାନ ପାଖରେ ଶୁଭୁଥିଲା,
ହଳଦୀବସନ୍ତର ଡାକ ।
ଆଜି ସେ ଉଡ଼ିଗଲା,
ଆଦିମ ଅରଣ୍ୟ ଭିତରକୁ ।
ଧେତ୍ ତେରିକା -
ପୁଣି ସେଇ ମୃତ୍ୟୁ ?
ଆରେ ଭାଇ ,
ମୃତ୍ୟୁ ସଙ୍ଗେ ପଞ୍ଝା ଲଢ଼ି ,
କେହି କଣ କେବେ ଜିତିଥିଲା ?
ଏବେ ପରା ମୃତ୍ୟୁକୁ,
ସମୁଦ୍ରରେ ଫିଙ୍ଗି ଦେଇ,
ନିଜ ସଙ୍ଗେ ନିଜେ ଖେଳୁଛି ;
କାନରେ ଶୁଭୁଛି ଢେ଼ଉଙ୍କ କରତାଳି ।
ଭୁଲି ଯାଇଥିଲି ଯେ-
ସମୁଦ୍ର ସବୁକିଛି ଫେରାଇ ଦିଏ ।
ତେଣୁ , ଏବେ ଏକ ଶୁଭ୍ର ଚଦର ଘୋଡେଇ
ବିସ୍ମୟରେ ପଡି ରହିଛି ଖଟ ଉପରେ ।
ଜୀବନର ଦୃଶ୍ୟ ସବୁ,
ପୋଷ୍ଟର ହୋଇ ଝୁଲୁଛନ୍ତି,
ସାମ୍ନା କାନ୍ଥରେ ।
ହେଇ ଦେଖ, ଚିହ୍ନ -
କଳା ଚଷମା ପିନ୍ଧା ଗଜପତି
ପାଖରେ, ଯେଉଁ ଯୁବତୀ ଜଣକ
ଛିଡା ରହିଛି ଓଢଣା ପକାଇ ।
ଯାଇଥିଲା ସେ ଆଣିବାକୁ
ଗନ୍ଧମାର୍ଦନରୁ ବିଶଲ୍ୟକରଣୀ ।
ଧଳା ଚଦର ପିନ୍ଧା ମୃତ୍ୟୁକୁ,
ଜୀବନ୍ୟାସ ଦେବା ପାଇଁ !
ସେ ଏବେ ଗାଧୁଆ ତୁଠରୁ ଫେରୁଛି ,
ଓଦା ଲୁଗା ଚିପୁଡ଼ି ଚିପୁଡ଼ି !
ପଚାରିଲ ତା'କୁ -
ଦେଇକି ପାରିବ ସେ
ମୃତ୍ୟୁକୁ ଗୋଲାପଟିଏ
ଜୀବନର ଶ୍ମଶାନରେ ?
