'ମୁଁ' ପାଇଁ ଲୁହ ଟୋପେ
'ମୁଁ' ପାଇଁ ଲୁହ ଟୋପେ
ସେ କହିଲେ : ବିଶ୍ୱାସ କର
ମୁଁ ଅଛି ତୁମ ଭିତରେ ।
ମୁଁ କହିଲି : ମିଛ,
ତୁମେ ତ ମୋ ସାମ୍ନାରେ ଦିଶୁଛ ।
ଯିଏ ଅଛି ମୋ' ଭିତରେ
ସିଏ ତୁମେ ନୁହଁ ,
ଅଛି ମୋ' ପରି 'ମୁଁ' ଟିଏ ।
ତୁମେ ତ ଜଗତର ନାଥ,
ଜଗତକୁ ଚଳାଉଛ ପରା ତୁମେ ?
କ'ଣ ହୋଇଛି ତାଙ୍କର ?
ସେ କଣ ସତରେ ଜାଣିଦେଲେ , ମୁଁ କ'ଣ ?
ସତରେ କ'ଣ ତାଙ୍କୁ ଚାହିଁ ଗାଉଥିଲି ମିଛ ଜଣାଣ ?
କିଏ କହିଦେଲା ତାଙ୍କୁ ମୋ କଥା,
ମୁଁ କିଏସେ ?
ମତେ ଆଉ ଭାବିବାକୁ ନଦେଇ
ମୁଚୁକୁନ୍ଦା ହସ ହସି
କହିଲେ ସେ :
ମୁଁ ଜାଣେ , ସବୁ ଜାଣେ
ତୁମେ କିଏସେ ?
ଆଉ କହିଲେ :
ମୁଁ ଜାଣେ ତମେ ମିଛରେ ମତେ କୁହ ସୁନ୍ଦର ।
ମୋ' ଚକା ଆଖି , ମୋ ଅଧାଗଢ଼ା ଦେହ,
ଅଂଟାଠୁଁ ତଳକୁ ନଥିବା ପାଦ, ନିରୁଦ୍ଧିଷ୍ଟ କାନ,
ନାଳିଆ ଓଠରେ ନେଫେଡ଼ିଆ ହସ
ଏହା କଣ ତୁମକୁ ଲାଗେ ସୁନ୍ଦର ?
ମିଛ -
ଖାଲି କୁମ୍ଭିରିଆ କାନ୍ଦ କାନ୍ଦି,
ହାତ ପତେଇ ମାଗି ଆସିଥିବାରୁ ;
ଏ ପର୍ଯ୍ୟନ୍ତ ସମ୍ଭାଳି ଆସିଛି,
ତୁମ ଘର , ତୁମ ସଂସାର ।
ମୁଁ ଜାଣେ ,
ତୁମେ ବି ଜାଣ
ଆମେ କେହି ନୁହେଁ କାହାପାଇଁ ଅସୁନ୍ଦର !
ଏ କ'ଣ , ତାଙ୍କ କଥା ଶୁଣି
ଲୁହେଇ ଗଲା ଆଖି , କେଜାଣି କେମିତି,
ଧୂଆଁ ପଶିଗଲା ବୋଧେ ଝୁଣା , ଧୂପର ।
ତାଙ୍କୁ ମୁଁ କହିଲି :
ବିଶ୍ୱାସ କର ମତେ ;
ଏ ଲୁହ କେବଳ ତୁମ ପାଇଁ
ଗଡି ଆସେ, ସବୁରି ଆଖିରୁ,
ଥରଟିଏ ଦେଖିଦେଲେ,
ତୁମ ଅଧାଗଢା ଚନ୍ଦ୍ରବଦନ ।
ବିଶ୍ୱାସ କର ମତେ,
ତୁମେ ହିଁ କେବଳ ମୋ'ର ।
ବିଶ୍ୱାସ ଆସୁନି ମତେ ,
ମୋ' ଭଳି କ୍ଷୁଦ୍ର ପ୍ରାଣୀ ମଧ୍ୟେ
କିପରି ପ୍ରବେଶିଛ ଏତେ ବଡ଼ ଠାକୁର !