କର୍ମଫଳ ଓ କର୍ମଯୋଗ
କର୍ମଫଳ ଓ କର୍ମଯୋଗ
ବଂଚିବା ରାସ୍ତାର ମଝିରେ ଛିଡା କରାଇଦେଇ
ଈଶ୍ୱର, କେଉଁ ହାତରେ ଲୁଚାଇ ରଖନ୍ତି
ନିଷ୍କାମ ସୁଖ ?
ଆଉ କେଉଁ ହାତରେ,
ବଢ଼ାଇ ଦିଅନ୍ତି କର୍ମଫଳ,
ପରଦିନର ଗ୍ରାସ ମୁହଁକୁ ?
ଏମିତି ତ ପ୍ରତି ଗଳି ମୋଡରେ,
ସତ୍ୟବାଦୀ ଯୁଧିଷ୍ଠିର ମାନେ କୁହନ୍ତି -
ହତ ଅଶ୍ୱତଥାମା, ଗୁଞ୍ଜର ବା ନର ;
ଚିହ୍ନି ପାରନ୍ତି ନାହିଁ ପରିଚିତ ମାନଙ୍କୁ,
ମାନୀ ଦୁର୍ଯୋଧନ ମାନେ !
କେବଳ ଏମାନଙ୍କୁ କୁହାଯାଇପାରେ -
"ଯୁଦ୍ଧ ସରିଗଲା ପରେ,
ଦେଖା ତ ନିଶ୍ଚୟ ହେବ ଦିନେ ।"
ଆସନ୍ତା କାଲିର ସକାଳ
ତ ତମର ନୁହେଁ ;
ପରଦିନକୁ ହୁଏତ ତୁମ
ଶବ ପଡ଼ିଥିବ, ଦକ୍ଷିଣ ଦିଗରେ,
ଗିଳି ସାରି ନିଜ କର୍ମଫଳ ଓ
ତ୍ରିଫଳା ଆୟୁଷର ତ୍ରିକାଳ ।
କିଛି ଗୋଟେ ଭୁଲ୍ ଥିଲା ନିଶ୍ଚୟ
ଜୀବନର ଜ୍ୟାମିତିରେ ,
ନଚେତ୍, ବିତି ଯାଇଥିବା ରାତିରେ
ସ୍ୱପ୍ନ ସହ ହାତାହାତି ହେଉହେଉ
କେମିତି ଟୋପାଏ ରକ୍ତ ଲାଗି ଯାଇଥିଲା
ଭୋର୍ ଗଙ୍ଗଶିଉଳି ଗାଲରେ ।
"ଏଇତ ସମୟ , ଏତିକି ବେଳେ
ଇହ କାଳର କାମ ସାରିବାକୁ ହେବ ।"
ଛାତି ଭିତରେ ପବନର
ଖେଳ ଚାଲିଥିବା ବେଳେ ,ଐଶ୍ଚର୍ଯ୍ୟକୁ
ଉଠାଇ ନେବାକୁ ହେବ ନିଜ କୋଳକୁ ;
ନିଜ ଠାରୁ ପର ହେବାକୁ ଥିବା, ପରପିଢ଼ିଙ୍କ ପାଇଁ।
ସେଇଥି ପାଇଁ ତ ଶାଗ ପଟାଳିରେ,
ରକ୍ତ ଢଳା ଚାଲିଛି ।
ବୁଢିଆଣୀ ଜାଲରେ
ସକାଳ କାକରର ମୁକ୍ତା ସଂଚୟ ଚାଲିଛି !
ପରକାଳକୁ କିଏ ଦେଖିଛି ?
କର୍ମଫଳକୁ ଏଇନେ ପାଇ,
ଏଇନେ ଖାଇ,
ମୁହଁ ପୋଛିଦେବା ହିଁ ,
କର୍ମଯୋଗ ଆମର ।
ପରକାଳ ପହଁଚିଲେ
ଦେଖିବା, ସେଠି ବି କିଛି
ଉପାୟ ଥିବ ବଂଚିବାର !
