STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Abstract Inspirational

4  

ପ୍ରିୟଦର୍ଶିନୀ ମହାନ୍ତି

Abstract Inspirational

ରାଜରାସ୍ତା

ରାଜରାସ୍ତା

1 min
287

ଆଗକୁ ପଡିଛି ଦିଗନ୍ତ ବିସ୍ତାରି ରାଜରାସ୍ତା

କିନ୍ତୁ ମୁଁ ଯେ ଏକା, ନିଶ୍ୱ,

ଦୁଃଖ, ଅନୁଶୋଚନାରୁ ବା କଣ ମିଳିବ!

ଚାଲିଛି, ଚାଲିବି ଅବିରତ ନିର୍ଦ୍ୱନ୍ଦରେ, ନୀରବରେ,

ଝୁଣ୍ଟିପଡିଲେ ବି ପୁନଶ୍ଚ ଉଠିବି,

ସଜାଡି ନେବି ନିଜକୁ,

ଇତଃସ୍ତତ ପଡିଥିବା କର୍ତ୍ତବ୍ୟ, ଦାୟିତ୍ୱ, ସ୍ବପ୍ନକୁ

ସାଉଁଟିନେବି ଆଞ୍ଜୁଳିରେ,

ପୁଣି ସାହସ ବାନ୍ଧିବି ମନରେ ,

ଚାଲିବାକୁ ରାଜରାସ୍ତାରେ ।


ଅନେକ ଆଶା, ସ୍ବପ୍ନ ହରେଇବା ପରେ

କରିଛି ଅବଶୋଷ ,

ରାଜରାସ୍ତାରେ ଏକାନ୍ତେ 

ବିଶ୍ଳେଷିତ କରିଛି ନିଜକୁ,

ଅପନିନ୍ଦା ଅପଯଶର ପଙ୍କ କାଦୁଅରେ ବି 

ହୋଇଛି ନଟପଟ,

ସନ୍ତାପର ବୁକୁଚା ବୋହି

ପୁଣି ପ୍ରସ୍ତୁତ ହୋଇଛି ଚାଲିବାକୁ ରାଜରାସ୍ତାରେ ।


ଜୀବନର ଅଛିଣ୍ଡା ମାନସାଙ୍କକୁ

କଷିନପାରି କରିଛି ଅନେକ ଭୂଲ,

ବହୁତ କିଛି ଶିଖିଛି,

ପଶ୍ଚାତାପର ଅନ୍ଧାରି କୋଠରୀରେ

କାନ୍ଦିଛି ଗୁମୁରି ଗୁମୁରି,

ପଥଭ୍ରଷ୍ଟ ହୋଇ ଘୁରିଛି ଯାଯାବର ପରି,

ନିରୁଦ୍ଧିଷ୍ଟ ପରି ବୁଲି ବୁଲି

ପୁଣି ଫେରି ଆସିଛି ରାଜରାସ୍ତାକୁ,

ଅଭିଜ୍ଞତା, ଅନୁଭୂତିକୁ ସାଉଁଟିଧରି

ପୁଣି ଚାଲିଛି ଏକାମୁହାଁ ହୋଇ ରାଜରାସ୍ତାରେ ।


ଏଇତ ଆରମ୍ଭ ହୋଇଛି ଜୀବନ

କଣ୍ଟକିତ ରାଜରାସ୍ତାରେ,

ଆରମ୍ଭରୁ କଣ ହୋଇଯିବ କି ଶେଷ!

ପହଞ୍ଚିବାକୁ ହେବ ନିଶ୍ଚୟ ଲକ୍ଷସ୍ଥଳରେ

ମାଟିରେ ମିଶିବା ପୂର୍ବରୁ,

ସହଜେ ତ ବଡ଼ ବିଷମ ରାସ୍ତା ତା ଉପରେ ପୁଣି

ଅୟୁତ ଅୟୁତ ଜଞ୍ଜାଳର ବୋଝ,

ସରିଯିବା ଆଗରୁ ନିଜେ

ସାରିବାକୁ ହେବ ସବୁ,

ବିଶ୍ରାମ ନେବାକୁ ନାହିଁ ଆଶ୍ରୟ ଏ ରାଜରାସ୍ତାରେ ।


ହରେଇଛି, ହାରିଛି, ହଜିଛି

ପୁନଶ୍ଚ ନିଜକୁ ମୁକୁଳେଇ ନେଇଛି,

ଚାଲିଆସିଛି ରାଜରାସ୍ତାକୁ 

ଯେଉଁଠି କେବଳ କଣ୍ଟା,

କହିପାରିବିନି ସେ ରାସ୍ତା ଅଭିଶପ୍ତ ବୋଲି,

ସେଇଟା ମୋର ମୋ ଦ୍ୱାରା ଚୟନ କରାଯାଇଛି,

ତେଣିକି ନିଜକୁ ବୁଝେଇବାକୁ ପଡେ

ସେଇଟା ହିଁ ମୋ ରାଜରାସ୍ତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract