STORYMIRROR

Sarojini Mishra

Abstract

4  

Sarojini Mishra

Abstract

କବିତା ଗୋ ତୁମେ

କବିତା ଗୋ ତୁମେ

1 min
353


କବିତା ଗୋ ତୁମେ ଜୀବନ ଜଞ୍ଜାଳେ

ଆଶାର ଦୀପକଟିଏ

କର୍ମ କର୍ତ୍ତବ୍ୟର ଜୀବନ ପଥରେ

ଶାନ୍ତିର ପ୍ରଲେପଟିଏ ।

କବିତା ଗୋ ତୁମେ ପ୍ରେମ ନଦୀ ତୀରେ

ଶାନ୍ତ କପୋତଟିଏ

କବିତା ଗୋ ତୁମେ ବିଧୁର ବୀଣାରେ

ପ୍ରୀତିର ମୂର୍ଚ୍ଛନାଟିଏ ।

କବିତା ଗୋ ତୁମେ ଅମା ଅନ୍ଧକାରେ

ଜୋଛନା ଧୁଆଁ ପଥଟେ

କବିତା ଗୋ ତୁମେ ହାରିବା ମନକୁ

ଜିତିବାର ମନ୍ତ୍ରଟିଏ ।

କବିତା ଗୋ ତୁମେ ଭୋକ ବେଦନାର

କୋହଭରା ଗୀତ ଟିଏ

କବିତା ଗୋ ତୁମେ ହଜିଲା ଦିନର

ସ୍ମୃତି ଭିଜା ଫର୍ଦ୍ଦଟେ ।

କବିତା ଗୋ ତୁମେ ଅବକ୍ଷୟ ମଧ୍ୟେ

ଜୀବନ ଯୋଡ଼ର ବାର୍ତ୍ତା

କବିତା ଗୋ ତୁମେ ସମାଜ ଦର୍ପଣ

ବାଣ୍ଟୁଥାଅ ଯେ ସତ୍ୟତା ।

କବିତା ଗୋ ତୁମେ ଅନ୍ୟାୟ ମଧ୍ୟରେ

ନ୍ୟାୟର ଦୁନ୍ଦୁଭି ପିଟ

ସେ ଦୁନ୍ଦୁଭି ନାଦେ ଜନତା ମନରେ

ଜାଗୃତି ହୁଏ ଉଦ୍ରେକ

କବିତା ଗୋ ତୁମେ ଶକ୍ତ ଶବ୍ଦ ଧାରେ

ବିପ୍ଳବ ଜଗାଇ ଦିଅ

କବିତା ଗୋ ତୁମେ ଜନମାନସରେ

ଦର୍ଶନ ବି ଟେକିଦିଅ ।

କବିତା ଗୋ ତୁମେ ଦିଗହରା ମନେ

ଦିଗର ସଙ୍କେତ ଦିଅ

ସତ ଓ ମିଛର ଛାଇ ଆଲୁଅକୁ

ସଭିଙ୍କୁ ଦେଖାଇ ଥାଅ ।

କବିତା ଗୋ ତୁମେ ମରୁରେ ଫୁଟାଅ

ଶତ ପଦ୍ମର ସମ୍ଭାର

ପାହାଡ଼ ଶିଖରୁ ଶାନ୍ତିର ଝରଣା

ତୁମେ ଯେ ଝରାଇ ପାର ।

କବିତା ଗୋ ତୁମେ ମାଟିରୁ ଆକାଶ

ସବୁଠାରେ ଅଟ ବ୍ୟାପ୍ତ

ପ୍ରେମରେ ଘୃଣାରେ ପ୍ରତାରଣାରେ ବି

ତୁମେ ଥାଅ ରୀତିମତ ।

କବିତା ଗୋ ତୁମେ କୀଟ ଅବା ନଟ

ସୃଷ୍ଟି ଧାରାରେ ରହିଛ

ତୁମ ପାଖେ ପରା ସବୁ ବନ୍ଧା ଅଛି

ତୁମେ ସମାଜ ଗଢୁଛ ।

କବିତା ଗୋ ତୁମେ ଫଲ୍ଗୁ ଧାରା ଟିଏ

ଭିତରଟା ଜଳେ ଭରା

ଆଡ଼େଇ ଦେଖିଲେ ତୁମରି ଭିତରେ

ମିଳେ ସ୍ନିଗ୍ଧ ବାରି ଧାରା ।

କବିତା ଗୋ ତୁମ କଥା ବଖାଣିଲେ

କେବେ ବି ସରିବ ନାହିଁ

କବିତା ଗୋ ତୁମେ ହୁଅ କାଳଜୟୀ

ନେଉଥାଅ ମନ ମୋହି ।

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract