ଅନ୍ଧାର
ଅନ୍ଧାର
ଅନ୍ଧାର ରାତିଟି ହସି କହୁଅଛି
ଡରି ତ ଯାଅନି ମୋତେ
ଏମିତି ଅନେକ ଅନ୍ଧାର ରହିଛି
ସମୟର କରାଗତେ ।
ଶିଖାଏ ସେ ଧୈର୍ଯ୍ୟ କରାଏ ନିର୍ଭୀକ
ସାହସ ବଢାଇ ଥାଏ
ଜୀବନର ସବୁ ଅଦେଖା କଷ୍ଟକୁ
ଆପେ ସେ ଲିଭାଇ ଦିଏ ।
କେତେ ଯେ ଅନ୍ଧାର ଜାଣି ପାରି ହୁଏ
କେତେ ବି ଅଜଣା ଥାଏ
ଅଜଣା ଅନ୍ଧାର ଭୟ କରେ ଦୂର
ହେଲେ ଛାତି ଥରି ଯାଏ ।
ମନରେ ଛନକା ଟଶି ଯାଇଥାଏ
ସ୍ପନ୍ଦନଟା ବଢି ଯାଏ
ଅନ୍ଧାର ଭୟଟି ବସା ବାନ୍ଧି ଗଲେ
ଭୟେ ଆଖି ବୁଜି ହୁଏ ।
ବାସ୍ତବ ଅନ୍ଧାର ରହିଛି ଅନେକ
ଜୀବନେ କରେ ସେ ଘର
ସେ ଅନ୍ଧାର ଅଟେ ଏମିତି ଗୋଟାଏ
ସମ୍ପର୍କ କରଇ ଚୂର ।
ଅଜ୍ଞାନ ଅନ୍ଧାର ଦୂର କରିବାକୁ
ଗୁରୁ ଏକମାତ୍ର ସାର
ସେଇ ଗୁରୁ ଯଦି ସ୍ୱାର୍ଥ ପର ହୁଏ
ଅତି ଶୀଘ୍ର ତ୍ୟାଗ କର ।
ଉପଯୁକ୍ତ ଗୁରୁ ନ ମିଳିବ ଯେବେ
ଅନ୍ଧାରଟା ବଢି ଯାଏ
ବିପଥଗାମୀଟି ହେଇଣ ଶେଷରେ
କୁପଥରେ ପାଦ ଦିଏ ।
ଏମିତି ଅନ୍ଧାରେ ଯୁଦ୍ଧ ବିଦ୍ୟା ଶିକ୍ଷା
ଅର୍ଜୁନ ଯେ କରିଥିଲେ
ଗୁରୁ ଦ୍ରୋଣାଚାର୍ଯ୍ୟ ଆଶୀର୍ବାଦ ଲଭି
ଶ୍ରେଷ୍ଠ ଧନୁର୍ଦ୍ଧର ହେଲେ ।
ଜ୍ୟୋତି ପ୍ରଭାକର ଆକାଶେ ଉଇଁଲେ
ଅନ୍ଧାରଟି ହଟିଯାଏ
କର୍ମରେ ଜାଗ୍ରତ ଏଇତ ଜଗତ
ଚଳ ଚଞ୍ଚଳ ତ ହୁଏ ।
ଅମାବାସ୍ୟା ରାତି ନିଶା ଗର୍ଜୁଥାଏ
ଅନ୍ଧକାର ଘୋଟେ ମହୀ
ବରଷା ଋତୁର ଅନ୍ଧାର ଆକାଶ
ନା ବର୍ଣ୍ଣି ପାରଇ କେହି ।
ଅନ୍ଧାର ଆଲୋକ ରହିଛି ଜଗତେ
ଦୁଇଟି ତ ହିତକାରୀ
ଗୋଟିକ ବିନା ତ ଗୋଟିଏ ଅଚଳ
ହିତ ହୁଏନି କାହାରି ।
ଏ ଅନ୍ଧାର ଯୋଗୁଁ ଆଲୋକ ଦୁନିଆ
ହେଇଥାଏ ଅନୂଭବ
ହସି ଉଠୁଥାଏ ଏ ଜୀବ ଜଗତ
ହସେ ତ ଏଇ ମାନବ ।
ବିନା ଅନ୍ଧାରରେ ତିଷ୍ଟେନି ଜଗତ
ସୃଷ୍ଟି ଯେ ହୁଏ ଅଚଳ
ଅନ୍ଧାର ରଜନୀ ହଟାଇ ଧରାକୁ
ସ୍ୱାଗତ କରେ ସକାଳ ।
ଆକାଶରେ କଳା ମେଘ ଘୋଟିଗଲେ
ଶୁଭ୍ର ବି ପ୍ରକାଶ ହୁଏ
ମନ ହୃଦୟଟି ଅନ୍ଧାର ହୋଇଲେ
ନିଜକୁ ସେ ଖାଇ ଯାଏ ।