ମୁଁ ଓ ମୋ କଲମ
ମୁଁ ଓ ମୋ କଲମ
ନିତି ନିତି କେତେ ଲେଖି ବସେ ହାତେ
ଧରି ମୁଁ କଲମ କାଳି
ଯେତେ ମୁଁ ଭାବିଲେ କବିତାକୁ ମୋର
କାଗଜେ ନ ପାରେ ଢାଳି l
ଯେ କାହାଣୀ ମୋର ଅନ୍ତର ଫଟାଇ
ନିଗାଡ଼ି ଦିଅଇ କୋହ
ତା ପାଇଁ ନୁହଇଁ ଲୋଡ଼ା କଳା କାଳି
ତା ପାଇଁ ଲୁଣିଆ ଲୁହ l
ଲେଖିଦିଏ ସିନା ପାଠକ ପାଇଁ କି
ଲୁହ ତା ଝରେ କି ନାହିଁ
ଲେଖକ ମୁଁ ମୋର ପ୍ରତ୍ୟେକ ଅକ୍ଷର
ଲୋତକ ଝର ଝରାଇ l
ଯେତିକି ଅକ୍ଷର ଯତନେ ସଜଡା
ଗୋଟି ଗୋଟି ଲୁହ ଧୁଆ
ଅନ୍ତର ଫଟାଇ ଯେ ଶବଦ ଆସେ
ସବୁତ ରକତ ବୁହା
ଭବିଷ୍ୟତ ଆଉ କାହାଣୀ କାହିଁ ମୋ
ସବୁତ ଅତୀତ ମୋର l
ବାଲ୍ୟକାଳ ସେ କରୁଣ କାହାଣୀ
ନୟନୁ ନିଗାଡେ ନିର
ଭାବେ ବର୍ତ୍ତମାନ ସରସ ସୁନ୍ଦର
କବିତା ଲେଖିବି ବୋଲି
କଲମକୁ ଧରି ଯେତେ ଚେଷ୍ଟା କଲେ
ଶୁଖିଯାଏ ତହୁଁ କାଳି l
ସ୍ବପ୍ନର ଅଞ୍ଜନ ଲାଗି ସେ କଲମେ
ସବୁ ଲେଖିଥିଲା ଭଲ
ଧୋଇ ହୋଇଗଲା କାଳିର କଜ୍ଜଳ
କରି ମୋତେ କଲବଲ l
ହୃଦୟ ସ୍ପନ୍ଦନେ ମୋ ରୁଦ୍ଧ ବେଦନାର
କାରୁଣ୍ୟ ରହିଛି ଭରି
ଅକ୍ଷର ନୁହେଁ ସେ କଜ୍ଜଳ ବାଦଲ
ଅପଲକେ ପଡେ ଝରି l