ଆଖି ଥାଇ ଅନ୍ଧ
ଆଖି ଥାଇ ଅନ୍ଧ
ମୁଁ ଏକ ଅନ୍ଧକାରର ସାମ୍ନା କରି
ବଜାଇ ଯାଉଛି ଗଣ ଜୀବନର ବ୍ୟଙ୍ଗ ସାହାନାଇ l
ବଞ୍ଚିବାର ଏଇ ଅନ୍ଧକାର ଗାଲିଚାରେ
ସଂଗ୍ରାମର ରକ୍ତ ରଙ୍ଗ ଫୁଲର ବଗିଚା ।
କୋଳାହଳମୟ ଜୀବନର ପ୍ରତିଟି ବିନ୍ଦୁରେ
ନୀରବ ନିଥର ସିନ୍ଧୁର ଆବୃତ୍ତି l
ହଳାହଳ ଭରା ଭବିଷ୍ୟତର ଉଦବେଳନ ଭିତରେ
ଅମୃତର ଏକ ମର୍ମଥରା କମ୍ପନ l
ଅନ୍ଧାରର ଏଇ ମାହେନ୍ଦ୍ର ଲଗ୍ନରେ
ବୀଣା ପରି ମୋହର ହୃଦୟରୁ
ସ୍ୱର ର ବେହାଗ ଆଣୁଛି l
ଅନ୍ଧାର ବୁଣି ଦେଇଛି ତାର
ଘର ବୁଢିଆଣୀ ଜାଲ ପରି l
ଅନ୍ଧାର ଛାଇ ଯାଇଛି ପୃଥିବୀରେ
ଅସନ୍ତୋଷର ଅଙ୍ଗାର ପ୍ରଲେପ ପରି l
ଅନ୍ଧାର ଲମ୍ବି ଯାଇଛି
ସାଗରର ନୀଳ ନିର୍ଜନତା ପରି l
ଆଃ ମୋହ ଭିତରେ ଅନ୍ଧାରର ରଙ୍ଗ କଣ୍ଟା ଶେଜ
ଖୁଵ ତୀବ୍ର ଯନ୍ତ୍ରଣା ଦାୟକ
ଯେ ରକ୍ତାକ୍ତ କରେ ଶତାବ୍ଦୀର ପାଳିତ ଦେହକୁ l
ମୋ କଣ୍ଠରେ ଅନ୍ଧାରର ନିନାଦିତ ସ୍ୱର
ହୃଦୟରେ ସ୍ମଶାନର ଶେଷ ନୀରବତା l
ଚଲା ରାସ୍ତା ଧାରେ ଧାରେ ସମସ୍ୟାର ଯଉ ଘର
ଆଖିର ଦୋଳିରେ ଝୁଲୁଥାଏ ସମାଜର ଶବ l
ମୋ ସାମ୍ନାରେ ଅନ୍ଧାରର ଅଖଣ୍ଡ କବନ୍ଧ ନୃତ୍ୟ
ହାଡ଼ର କାଠିରେ ଅନ୍ଧାରର ଦୃଶ୍ୟ ନ୍ତର ଚିତ୍ର l
ଇଥରର ତରଙ୍ଗରେ ସମୟର ଜୀବନ୍ତ ଦୀର୍ଘଶ୍ୱାସ
କାଳର କଠୋର ହସ
ବେଞ୍ଜୁର ତାର ପରି ସ୍ପର୍ଶତୁର l
ସ୍ୱରରେ ବଜାଇ ଦିଏ ଆଲୋକର ଅନୁଭବ
ମୋହରି ଭିତରେ ଖୋଲିଦିଏ ସୃଜନର ଦଶ ଦ୍ୱାର
ସୁପ୍ତଥିବା ମୋହର ଚେତନାର ପଙ୍ଗୁ ଅବୟବ
ମୁଁ ଆଗାମୀ ପାଇଁ ଅନ୍ଧକରକୁ
ମାର୍ମିକ ଆଶ୍ଲେଷରେ କୋଳାଗ୍ରତ କରେ l