ଅସହ୍ୟ ସମୟ ବିଷ
ଅସହ୍ୟ ସମୟ ବିଷ
ସହି ନ ପାରୁଛି ଏକୁଟିଆରେ ମୁଁ
କ୍ଷୁଧାର ଯନ୍ତ୍ରଣା ଜ୍ୱାଳା
ଚାରି କାନ୍ଥ ନୁହେଁ ଘେରିଅଛି ମୋତେ
ନିଷ୍ଠୁର ଏ ବନ୍ଦୀଶାଳା l
ପୋଛି ନେଇଅଛି ସାରା ଜୀବନକୁ
ଅନ୍ତରୁ ମଧୁର ହସ
ନୀରବରେ ବସି ପିଆଉଛି ମୋତେ
ଅସହ୍ୟ ସମୟ ବିଷ l
ମନ ମରାଳ ମୋ ଅସରା ଆଶାରେ
ହେଉଥାଏ ଛଟପଟ
ଗଗନକୁ ଭେଦି ମହାଶୂନ୍ୟ ପଥେ
ବିକଳେ ଖୋଜେ ସେ ବାଟ l
ବେଳୁ ବେଳ ମୋର ହଜି ଯାଉଅଛି
ବଞ୍ଚିବାର ଉପାଦାନ
ସର୍ବସ୍ୱାନ୍ତ ହୋଇ ଖୋଜୁଛି କେବଳ
ଅମରା ଲୋକ ସନ୍ଧାନ l
ନିଃସଙ୍ଗତା ଦିଏ ଦାରୁଣ ଇଙ୍ଗିତ
ଜୀବନ ହୁଏ ଯନ୍ତ୍ରଣା
ଲାଗେ ସବୁ ଦେଇ ପ୍ରତିଦାନରେ ମୁଁ
ପାଉଅଛି ପ୍ରତାରଣା l
ଯେତେ ମୁଁ ଖୋଜିଛି ହଜିବା ପାଇଁକି
ଭୁଲାଇ ପାରୁନି ମନ
ଚାହିଁଲେ ଜଳଇ ପୃଥିବୀ ଆକାଶ
ସୂର୍ଯ୍ୟ, ଚନ୍ଦ୍ର, ତାରାମାନ l
ଯେତେ ଖୋଲେ ଆଖି ପ୍ରବଳ ଅନ୍ଧାର
ଚାରିଦିଗୁ ଆସେ ମାଡ଼ି
ବାହୁ ମେଲି ଆସେ ବିକଟ ଦୈତ୍ୟ
ମହାବଳୀ ଅତ୍ୟାଚାରୀ l
କଟି ଯାଉଅଛି ସମୟ ମୋହର
ନିବିଡ ଅନ୍ଧକାରେ
ମୁଦିବି ନୟନ ରହିଯିବ ମନ
ସେହି ଅନନ୍ତ କ୍ଷୁଧାରେ l