ଧାବମାନ ସମୟ
ଧାବମାନ ସମୟ
ସବୁ ଭାବପ୍ରବଣତାକୁ ଅଣଦେଖା କରି
ହାରଜିତର ହିସାବ ନକରି
ପ୍ରାପ୍ତି ଅପ୍ରାପ୍ତିର ଲାଳସା ନକରି
ଧାଉଁଥାଏ ସମୟ ବିଳମ୍ବ ନକରି।
ତେଜି ଯେତେ ଲୋଭ ମୋହର ସଂସାର
ଭୁଲି ଯେତେ ସବୁ ପର ଆପଣାର
ଶତ ବନ୍ଧନର ଶୃଙ୍ଖଳକୁ ଭେଦି
ଧାଉଁଥାଏ ସମୟ ବିଳମ୍ବ ନକରି।
କିଏ ରହିଗଲା କିଏ ସାଥ ଦେଲା
ଭ୍ରମିତ ହୁଏନା ତୁଛା ଜୀବନ ପାଲା
ଦୂର ଦିଗନ୍ତର ଆବରଣ ଚିରି
ଧାଉଁଥାଏ ସମୟ ବିଳମ୍ବ ନକରି।
ନିଶ୍ବାସକୁ କେବେ ତିଳେ ନ ଭରସି
ବିଶ୍ୱାସର ମାୟାଜାଲେ ସେ ନ ଫସି
କାହା ପାଇଁ କେବେ ପ୍ରତୀକ୍ଷା ନକରି
ଧାଉଁଥାଏ ସମୟ ବିଳମ୍ବ ନକରି।
ଲକ୍ଷହୀନ ତାର ଯାତ୍ରା ଅବିରତ
ଅଜଣା ସେ ଯାଯାବରର ଚରିତ
ସମଗତିରେ ଯନ୍ତ୍ର ମାନବଟେ ପରି
ଧାଉଁଥାଏ ସମୟ ବିଳମ୍ବ ନକରି।