STORYMIRROR

Chinmaya Kumar Nayak

Abstract Inspirational

3  

Chinmaya Kumar Nayak

Abstract Inspirational

ସେ ଶିଳ୍ପୀଟିଏ

ସେ ଶିଳ୍ପୀଟିଏ

1 min
122

ଆକାଶକୁ ଭୟ ନାହିଁ ତାର

ତଥାପି ସେ ଚାହିଁଥାଏ ଧରାକୁ ସମ୍ଭ୍ରମେ

ଏରୁଣ୍ଡିଟେ ଡେଇଁବା ଆଗରୁ

ଆଶଙ୍କାର ବୁଢ଼ିଆଣି ବସାରେ

ଛନ୍ଦିହୁଏ ପାଦ। 

ଲଜ୍ୟା ତାର ଦୁର୍ବଳତା ନୁହେଁ

ବରଂ ତା ଭିତରେ 

ଅଭିମାନର ବିନମ୍ର ପ୍ରକାଶ

ଲୁଚାଇ ରଖି ନିଜ ଅହଂ ଟିକକକୁ

ସେ ଉଡ଼ି ଆସେ ନୀଡ଼ ଛାଡ଼ି

ଆଉ ଏକ କୋରଡରେ

ବସା ବାନ୍ଧିବାକୁ ସାଇତି ଅନେକ ପ୍ରମାଦ।


ସେ ସହିବାକୁ ଶିଖେ ଭୁଲି ତର୍କଜାଲ

ଆବୋରି ବସେ ଅଚିହ୍ନା ସହରଟିକୁ

ନିଜର ସଂସାର ଭାବି

ପାଉଁଜିରେ ଛନ୍ଦି ହୁଏ ପାଦ

ରୁଣୁଝୁଣୁ ପାଣିକାଚରେ 

ବହୁବାର କଟିଯାଏ ହାତ। 

ବିଶ୍ରାମ ନଥାଏ ତା ଭାଗ୍ୟେ

ନିଦ ତାର ଶତ୍ରୁ ସାଜେ ବୋଧେ

ଥକା ମାରିବାକୁ ବି ବେଳ ଟିକେ ମିଳେନାହିଁ

ଅନ୍ୟ ମାନଙ୍କ ବରାଦ ପରଶି

ଆଇନା ଆଗରେ ବି ଅଚିହ୍ନା ଲାଗେ ତା ମୁଖ

ଖୋଜି ହୁଏ ଛାଡ଼ି ଆସିଥିବା ନିଜକୁ 

ବ୍ୟସ୍ତତା ଭିତରେ ହିଁ ସେ ଶାନ୍ତିକୁ ଅଣ୍ଡାଳେ

ଦେଖୁ ଦେଖୁ ଥାଳିରେ ତା ଶୁଖିଯାଏ ଭାତ।


ଗୋଟିଏରୁ ଅନେକ ହୁଏ ସେ

ସାଜିଥାଏ ବହୁଭୂଜା ଅବ୍ୟତିକ୍ରମରେ

କିଏ କହେ ଶିଳ୍ପୀଟିଏ, 

କିଏ କହେ ଲବଣି ପିତୁଳା

ସେ କିନ୍ତୁ ଗଢୁ ଗଢୁ ପ୍ରତିମୂର୍ତ୍ତି ମାନ

ଭୁଲିଯାଏ ନିଜର କର୍ଦ୍ଦମାକ୍ତ ତନୁ। 

କେଉଁଠୁ କେଜାଣି ସୀମାରେଖାଟିଏ

ଟାଣି ହୋଇଯାଏ ତା ନିଜର ଭିତରେ

ନିଜକୁ ଦୁଇଭାଗ କରି,

ସେ ଯେବେ ଜୀବନ ଖୋଜେ 

ତାର କିଞ୍ଚିତ ମାତ୍ର ଥିବା 

ବା ନଥିବା ବୋଲି ଅବସରରେ

ସେ ପାଏ ଏକ ହଜି ଯାଇଥିବା 

ସ୍ୱପ୍ନିଳ ଡେଣା ଦୁଇଟି

ପକ୍ଷାଘାତେ ପୀଡିତ ଓ କ୍ଳାନ୍ତ ଅବସନ୍ନ

ବାଧ୍ୟ ହୁଏ ଭୁଲିବାକୁ ନିଜଠୁ ନିଜକୁ

ତା ପାଇଁ ଯେ ପ୍ରତୀକ୍ଷାରତ 

ଅନେକ ଜୀବନ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract