ମେଘ ସବାରୀ
ମେଘ ସବାରୀ
ନା ମେଘ ଆସେ ଆଗ ଭଳି
ପ୍ରେମୀଙ୍କର ଛାତି ଦୁଲୁକାଇ,
ନା ସବାରି ଆସେ ଆଗ ଭଳି
ଗାଁ ଧୂଳି ଦାଣ୍ଡ ଚମକାଇ।
ଆଜି କାଲି ମୌସୁମୀ ଆସେନା
ଲଘୁଚାପ ନହେଲେ ସାଗରେ,
ଏବେ ଏବେ କୌତୁହଳ ପାଇଁ
ସବାରୀ ଚାଲେ ସହର ମଝିରେ।
ମେଘର ଫୁଲେଇ ପଣରେ
ଆଜି ଏଠି ଦିଶେ ଯାହା ତୁଛା ଅଭିମାନ,
ସବାରୀ ବି ଚାଲେ କିନ୍ତୁ
ନାହିଁ ସେ ଉଛୁଳା ଉଲ୍ଲାସର ଭରା ଯୌବନ।
ଆସିଲେ ବି ମେଘ କେବେ
ଭିଜିବାକୁ ବେଳ କା ପାଖରେ,
ସବାରୀ ବି ଯାଇଛି ଥକି
ଧାଉଁଥିବା ଦୁନିଆର ପ୍ରତିଯୋଗିତାରେ।
ତଥାପି ମରିନି ମେଘ
ଆତଙ୍କି ନିଦାଘର ନିଦା ପାହାରରେ,
ସବାରୀ ସଜେଇ ହୁଏ
ଲୁଚି ଲୁଚି କେବେ କେଉଁ ବେଳ ଅବେଳରେ।
ଆଉ ମୁଁ ବିଚରା କବିଟିଏ ବୋଲି
ଲେଖି ବସେ ସାଧା କାଗଜରେ,
ମେଘରେ ସବାର ହୋଇ
ଉଡ଼ି ବୁଲେ ଅପହଞ୍ଚ ଦୂର ଆକାଶରେ।
