STORYMIRROR

NARESH SAHOO

Abstract

3  

NARESH SAHOO

Abstract

ଆଉ କିଛି ବାକି ନାହିଁ

ଆଉ କିଛି ବାକି ନାହିଁ

1 min
130

କଣ ନ ପାଇଲି ଯେ ଅଭିମାନ କରିବି

କଣ ହରେଇଲି ଯେ ଅଭିଯୋଗ କରିବି

ସମସ୍ତ ଅଭିଷ୍ଟ ପୂର୍ଣ୍ଣ ହେଇଛି

ଗୋଟି ଗୋଟି ସବୁ ଦାବୀ ପୂରଣ ହୋଇଛି

ସହଜ ଭାବେ ଜିଇଁବା ପାଇଁ ପଥ ସୁଗମ ହୋଇଛି

ଜୀବନଠୁ ଆଉ କିଛି ବୋଲି କିଛି ପ୍ରାପ୍ୟନାହିଁ।


ସାଧାରଣ ଜୀବନଟେ ପାଇଁ ମାଗିଥିଲି ସାଧନ

ଅନୁରୋଧ ଥିଲା ଅଭୁକ୍ତ ନ କଟୁ ଦିନ

ଶୟନ ନ ହେଉ ସାତ ସପନ

ଆରାମ ନ ହେଉ, ପୀଡ଼ାଦାୟକ ବି ନ ହେଉ ପ୍ରତି କ୍ଷଣ

ନିରାମୟ, ଆପଦଶୂନ୍ୟ ହେଉ ଜୀବନ।


ଜୀବନ ଦେଲା ଜୀବିକା

ଖଟି ଖାଇବାର ଦୀକ୍ଷା

ସହଭାଗିତା, ସହଯୋଗିତାର ଶିକ୍ଷା

ନିଜେ ବଂଚି ଅନ୍ୟକୁ ବଞ୍ଚେଇବାର ତିତିକ୍ଷା।

ଜୀବନ ଶିଖେଇଲା ଅମଡ଼ା ବାଟକୁ ସହଜ ଅତିକ୍ରମଣର ମନ୍ତ୍ର

ପଳାତକ ନ ସାଜି ସଂଘର୍ଷ ଜାରି ରଖିବାର ତନ୍ତ୍ର

ମଥାପାତି ନୁହଁ, ସଗୌରବ ମଥା ଉଚ୍ଚକରି ଚାଲିବାର କୌଶଳ

ଜୀବନ ଦେଲା ସୁଯୋଗ

ସାଧନର ସଦୁପଯୋଗରେ ଦୂର ହେବ ଦୁର୍ଯୋଗ।


ଦେବାରେ ହେଳା କରି ନାହିଁ ଜୀବନ

ବାଳୁତକୁ ସରଳତା, କିଶୋରକୁ ସଂଭ୍ରମତା

ଯୌବନରେ ସଂଯମତା, ବାନପ୍ରସ୍ଥୀକୁ ନମ୍ରତା

ସନ୍ନ୍ୟାସୀକୁ ସ୍ଥିରତା, ଉଦ୍ଧତକୁ ଉଦ୍ଦାମତା

ଅହଂକାରୀକୁ ଅହମିକା, ବିଳାସୀକୁ ନିର୍ବୋଧତା।

ସପକ୍ଷବାଦୀଙ୍କୁ ଜୀବନ ଅବହେଳା କରେନାହି

ଦୁରାଚାରୀଙ୍କୁ ବି ସହଜେ ଛାଡ଼େ ନାହିଁ।


ପାଦ ଖସିଗଲେ କାନ ଧରି ଚେତେଇ ଦିଏ

ମନ ଇତସ୍ତତଃ ହେଲେ ନାକ ରଗଡ଼ି ଦିଏ

ସାବଧାନ କରିଦିଏ ଜୀବନ

ସମଝଦାରକୁ ଇସାରା କାଫି ନ ହେଲେ

ମୋଡ଼ି ମାଡ଼ି କଚାଡ଼ି ଦିଏ।


ଜୀବନକୁ ମାଗିଥିଲି ଶାଗ ପଖାଳ

କାର୍ପଣ୍ୟ କରିନାହିଁ

ମାଗିଥିଲି ବାସ ଖଣ୍ଡେ ନଡ଼ା ଛପର

ହତାଶ କରି ନାହିଁ

ଯାତନାରହିତ ନିରୋଗ ଶରୀର

ତଥାସ୍ତୁର ଅନ୍ତଃ ନାହିଁ

ସହଯାତ୍ରୀ ପ୍ରତି ସମ୍ବେଦନାର ଫୁଆର

ଅଭାବ ରଖିନାହିଁ

ନିୟନ୍ତ୍ରଣଯୁକ୍ତ ସୁନିର୍ମଳ ମନ

କଳୁଷିତ ହୋଇନାହିଁ।


ଆଉ କିଛି ମାଗୁଣି ଅଛି ଯେ ଝଡ଼େଇ ନେବି

କେଇଟା ଦିନର କୁଣିଆ ପାଇଁ

ସୁବନ୍ଦୋବସ୍ତ କରିଥିବା ଜୀବନ ପ୍ରତି

ଧନ୍ୟବାଦ ଦେବା ପାଇଁ ଭାଷା ନାହିଁ।

ଜୀବନଠୁ ଆଉ କିଛି ବାକି ନାହିଁ।


Rate this content
Log in

Similar oriya poem from Abstract