STORYMIRROR

NARESH SAHOO

Others

3  

NARESH SAHOO

Others

ସୁସ୍ୱାଗତଂ ଶୀତ

ସୁସ୍ୱାଗତଂ ଶୀତ

1 min
144

ଆସ ମିଳିମିଶି ତା'ର ବନ୍ଦାପନା କରିବା

ଶଙ୍ଖ ହୁଳହୁଳି ସହ ତାକୁ ସଙ୍ଖୋଳିବା

ଅନ୍ତରଙ୍ଗ ବନ୍ଧୁଟେ ପରି ତାକୁ ବରଣ କରିବା

ଅନେକ ଦିନ ପରେ ସେ ଆସିଛି ଯେ!


ହଁ ଅନେକ ଦିନ ପରେ--

ନିଦାଘ ଗ୍ରୀଷ୍ମର ଗୋଟାଏ ମୁହୂର୍ତ୍ତ ଯୁଗ ପରି ଲାଗେ

ଆଷାଢ଼ର ଅବାରିତ ବାରିଧାରା ଅସରନ୍ତି ଲାଗେ

ଶରତର 'ନା ରୌଦ୍ର ନା ମେଘ' ବେଖାପିଆ ଲାଗେ

ଶୀତ ବନ୍ଧୁଟି ପରି ଏତେ ଆପଣାର 

ଏତେ ଅନ୍ତରଙ୍ଗ କିଏ ହେବ!


ଶୀତ ନଇଁଲେ ଚଷାଭାଇ ବୁକୁରେ ହସ ଫୁଟେ

ଶସ୍ୟ ଭର୍ତ୍ତି ଖଳା ବଗିଚା ଭରା ଫୁଲ

ଫୁଲକୋବି ବାରିରେ ଲହଡ଼ି

ସୋରିଷ କିଆରିରେ ଭଉଁରି

ଶାଗ ମୁଗ ସୂର୍ଯ୍ୟମୁଖୀର ରୋଷଣିରେ ମନ ଦ୍ରଵୀଭୂତ ହୁଏ।


ଶୀତ ଆସୁଛି ବୋଲି ଢେର ପ୍ରସ୍ତୁତି କରିଛି ସନିଆଁ ବୋଉ

ଖରାରେ ଶୁଖେଇଛି ସାତସିଆଁ କମ୍ବଳ

ଝାଡ଼ି ଝୁଡ଼ି ରଖିଛି ଗୋବର ଘଷି

ସଞ୍ଜ ଉହ୍ମେଇ ପାଇଁ ରହିବନି ଜଞ୍ଜାଳ ।

ଲଖଣ ଜେନା ଆଣ୍ଟ କରିଛି

ବେଶ୍ ଧରିବ ଶୀତୁଆ ଚିଙ୍ଗୁଡ଼ି ବଡ଼ ପୋଖରୀରୁ

କୁଣ୍ଡା ଗୋବର ଲୋଭରେ ଫସି ଯାଆନ୍ତି ବାଗଦା ଚିଙ୍ଗୁଡ଼ି।


ବେଶ୍ ଆନନ୍ଦଦାୟକ ଶୀତୁଆ ସକାଳ

ଆରାମଦାୟକ ବାଳୁତ ସୂରୁଜ କିରଣ

ବଣଭୋଜି କବିତାପାଠ ବଂଧୁମିଳନ ଦେଇ ଉଲ୍ଲାସରେ କଟିଯାଏ ଦିନ।


ସଞ୍ଜ ନଇଁଲେ ମେଲିଯାଏ ବୁଢ଼ୀମା'ର ଗପପେଡ଼ି

କେବେ ରଜାପୁଅ ଶିକାର କରୁ କରୁ ଗାଏବ୍ ତ

କେବେ ରାଜକୁମାରୀ ସ୍ୱୟଂବର

କୁମ୍ଭୀରଭର୍ତ୍ତି ପୋଖରୀକୁ ଯେ ଅତିକ୍ରମ କରିବ ସିଏ ହେବ ରାଜଦୁଲାଳୀର ବର।


ଶୀତୁଆ ରାତିର ନୀରବତା ବେଶ୍ ଆପଣାର ଲାଗେ

ରହି ରହି ଭୈରବର କୁହାଟ ଭୟଙ୍କର ଲାଗେ

ଖଣ୍ଡ ଖଣ୍ଡ ଜାଡ଼ ଆକାଶରୁ ଝରେ

ବିଲୁଆର ହୁକେ ହୋ ଡାହୁକର ଆତୁରତା

ଶୀତ ରାତିକୁ ଖୁବ୍ ମଧୁମୟ କରେ।


ଶୀତ ସହିତ ଦୂରାନ୍ତ ପକ୍ଷୀଙ୍କର ହାଟ ବସେ

ରଙ୍ଗର ବିଭାବରେ ଜଳାଶୟ ଝଲସେ

ବାରି ହୁଏନା ବୈଶାଖର ତାତି କି ଶ୍ରାବଣର ଉଜାଣି

ଭୋଦୁଅର ସ୍ୱେଦ କି କାର୍ତ୍ତିକର ନିଗିଡ଼ାଣି

କେବେଳ ବାରି ହୁଏ--

କାଉ ବସାରେ ଭାତ

ମକର ମେଳାରେ ଗମାତ

ମୂଷିଅପା ଆଖଡ଼ା ଘରେ ବାହାପୁଆଣି ଗୀତ।


ଥରୁଟିଏ ଚିନ୍ତା କରି ଦେଖନା

ଶୀତ ଅନୁପସ୍ଥିତିର କଥା।

ସଙ୍ଖୋଳି ପାରିବା ତ ନିଦାରୁଣ ଝାଞ୍ଜିର ସନ୍ତାପ!


ସେଇଥିପାଇଁ ତ କହୁଛି 

ଆସ ମିଳିମିଶି ସ୍ୱାଗତ କରିବା

ଶୀତର ଅବଧି ଦୀର୍ଘ ହେଉ ବୋଲି

କାମନା କରିବା

ତା ସହ ଏକାତ୍ମ ହୋଇ ଶୀତ ଦିନର ମଜା ଉଠେଇବା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍