ହୋଲି
ହୋଲି
ମନଟା ଭାରି ଉଚ୍ଚାଟ ହେଉଛି
ରଙ୍ଗ ପିଚକାରିରେ ରଙ୍ଗ ଭରି
ରଙ୍ଗିନ ହେବାକୁ ଇଚ୍ଛା ହେଉଛି
କପାଳରେ ଫଗୁ, ମୁହଁସାରା ରଙ୍ଗ ମାଖି
ନିଜକୁ ନିଜଠୁ ଅପରିଚିତ ହେବାର ଇଚ୍ଛାଟା ପ୍ରଖର ହେଉଛି।
କୁନ୍ଥୁକୁନ୍ଥୁ କିଆଁ ହେଉଛ!
ହଁ, ନାଇଁର ଦୋଛକିରେ କିଆଁ ପେଶି ହେଉଛ,
ମୋ କଥା ମାନ -
ବାହାରି ଆସ ସଅଳ ସଅଳ
ଯେତେ ଶୀଘ୍ର ରଙ୍ଗରେ ରଙ୍ଗାୟିତ ହେବ
ଦୁନିଆଁ ଭୁଲିଯିବ କେତେ ଗୋଟି ଚୁଟି ତୁମର ଧୂସର ଥିଲା,
ରୂଢ଼ଭର୍ତ୍ତି ଗାଲରେ କେତେ ଖଣ୍ଡ ଭାଙ୍ଗ ପଡ଼ିଥିଲା
ବିଷାଦଗ୍ରସ୍ତ ମନ, ଜରାକୀର୍ଣ୍ଣ ଶରୀରର ଟେର୍ କେହି ପାଇବେନି।
କହିପାର, ରଙ୍ଗର ଏ ଗୋଟେ ଅବଗୁଣ!
କିନ୍ତୁ ହୋଲି ରଙ୍ଗ ଥରେ ମାଖି ହେଲେ
ବାଳୁତ, ବୃଦ୍ଧର ପାର୍ଥକ୍ୟ ଜଣା ଇ ପଡ଼ିବନି।
ଫଗୁଣ ପଶିଲେ ସବୁଠି ରଙ୍ଗ ଲେସି ଯାଏ
କୃଷ୍ଣଚୂଡ଼ାରେ ରୋଷଣି ଲାଗେ
ପଳାଶ ବଣରେ ନିଆଁ ଲାଗେ
ପ୍ରେମିକ କୋଇଲି କଣ୍ଠରେ ବିରହ ସଙ୍ଗୀତ
ଗଛ ବୃଛର ଶ୍ୟାମଳିମାରେ ଧରଣୀ ଉଲ୍ଲସିତ
ବାସନ୍ତୀ ପବନର ମାଦକ
ଆମ୍ବ ବଉଳର ମହକ ଉଚ୍ଚାଟିତ କରେ
ଅନତି ଦୂରରେ ପତ୍ରରହିତ ପ୍ରସ୍ଫୁଟିତ ଶିମିଳି ଗଛର ଦୃଶ୍ୟ ଆତ୍ମହରା କରେ।
ସେ'ଦିନସବୁ ଜଳ ଜଳ
ଦୋଳ ଆସୁଛି ବୋଲି ମନ, ମୂନ ଚଳଚଞ୍ଚଳ
ବ୍ରାହ୍ମଣଗାଁ ଦୋଳ ମଣ୍ଡପ ଚୂନଧଉଳା ଆରମ୍ଭ ହେଲେ
ହୋଲି ପାଖେଇ ଆସିଲା ବୋଲି ପ୍ରତ୍ୟୟ ହୁଏ
ମିଶ୍ରସାହି ବ୍ରଜକିଶୋର ଜୀଉଙ୍କର ବିମାନ
ଭାଡ଼ିରୁ ବାହାରି ରଙ୍ଗ ହେଲେ ମନ ଉଚ୍ଛନ୍ନ ହୁଏ
ଆଉ ଡେରି ନାହିଁ,
ହୋଲି ଆସିଗଲା ବୋଲି ସ୍ପଷ୍ଟ ହୁଏ।
ଗାଁରୁ ଗାଁ ବିମାନସବୁର ଭଉଁରି
ଢୋଲ, ଘଣ୍ଟ, ମୃଦଙ୍ଗର ତାଳରେ ରାଧାକୃଷ୍ଣଙ୍କର ଚାଚେରି
ପାଲା, ଦାସକାଠି, ଚଢ଼େଇ ନାଚ, ସୁଆଙ୍ଗ
ଦୋଳ ଯାତରାକୁ ସର୍ବାଙ୍ଗ ସୁନ୍ଦର କରେ।
ଦୋଳ ଏକ ପର୍ବ ନୁହେଁ ତ, ଜୀବନଧାରା
ଫଗୁ ଓ ଫଗୁଣ ଆଣେ ଅସରନ୍ତି ଆନନ୍ଦ ପସରା
ଫୁଲଭର୍ତ୍ତି ବିମାନ, କାରୁକାର୍ଯ୍ୟପୂର୍ଣ୍ଣ ତୋରଣ
ବାଙ୍କ ବିହାରୀଙ୍କର ଦିବ୍ୟ ଦର୍ଶନ
ମେଲଣ ପଡ଼ିଆରେ ଆତସବାଜି ଓ ସଂକୀର୍ତ୍ତନ
ବିବଶତାକୁ ପରିହାର କରେ।
ଦୋଳ ଯାତରାରେ ଅମୂଲ୍ୟ ସାହୁର କାକରା
ରମଜାନ୍ ମିଆଁର ମନୋହରୀ
ଅମ୍ବିକା ଚାଟ୍, ଗୁପ୍ ଚୁପ୍, ଘୁଗୁନିର ପସରା
ଉଚ୍ଚାଟିତ କରେ
କବିତା ପାଠ, ବନ୍ଧୁମିଳନ, ପ୍ରୀତିଭୋଜନ
ଦୋଳୋତ୍ସବକୁ ଆକର୍ଷଣୀୟ କରେ।
ହୋଲିର ରଙ୍ଗରେ ସବୁ ଏକାକାର ହୁଏ
ବାଳୁତ, ବୃଦ୍ଧ, ଜାତି ଓ ଗୋତ୍ର
ରଙ୍ଗ ଭରିଯାଏ ଦେହ, ମନ ସର୍ଵତ୍ର
ପ୍ରୀତି ଓ ଶୁଭେଚ୍ଛାରେ ମହମହ ପରିବେଶ
ଆନନ୍ଦର ଫୁଆରରେ ପରିପୂର୍ଣ୍ଣ ଗ୍ରାମ, ଦେଶ।
ଆଉ ଭାବୁଛ କଣ?
ଆସ ନା -
ଉଠାଅ ସେ ରଙ୍ଗ ପିଚକାରି
ବୋଳି ଦିଅ ରଙ୍ଗ ଯେତେ ବିଳମ୍ବ ନ କରି
ଆଉ ଟିକେ ପାଖେଇ ଆସ
ମୁଁ ବି ବୋଳି ଦିଏ
ନାଲି, ନେଳି, ପୀତ, ଗୋଲାପୀ ଫଗୁ
ହର୍ଷ, ଉଲ୍ଲାସରେ ମନ ନିର୍ମଳ ଆନନ୍ଦ ଲଭୁ।।।।
