STORYMIRROR

NARESH SAHOO

Abstract

3  

NARESH SAHOO

Abstract

ବହୁଦିନୁ ଦେଖି ନାହିଁ ତାକୁ

ବହୁଦିନୁ ଦେଖି ନାହିଁ ତାକୁ

1 min
163

ଅନେକ ଦିନ ହେଲାଣି ଦେଖିନି ତାକୁ

ଦେଖିବାର ଇଚ୍ଛା ନାଇଁ ବୋଲି ନୁହେଁ

ଯିବି ଯିବି କହି ଦିନ ଟାଳିଯିବା ଯୋଗୁଁ।


ଅନେକ ସମୟରେ ତାହା ହିଁ ହୁଏ

ନ କରିବା କାମ କରେ

ନ କହିବା କଥା କହେ

ଅଦରକାରୀ ଜିନିଷ, ଅକାରଣ ଅଭ୍ୟାସ, ଅପରିଚିତ ମଣିଷ ସଂଗେ ସଂପର୍କ ଯୋଖେ।

ତାକୁ ଭୁଲେ, ଭୁଲୁଥାଏ।


ମୁଁ ଗଲି କେତେ, ଭେଟିଲି କେତେ

ସ୍ମରିଲି କେତେ, ଭଣିଲି କେତେ

କିଛି ଯାଏ ଆସେ ନାହିଁ।

ସାରା ଜଗତ ଯୋଉଠି ପାଗଳ

ଗୋଟେ ଜାତି ଯା'ର ନାଁ ନେଇ ବିଭୋର

ମୋ ଯିବା ନ ଯିବା କିଛି ଫରକ ପଡ଼େ ନାହିଁ।


ଫରକ ପଡ଼େ-----

ବଂଚିତ ହୁଏ ବାରମ୍ବାର

ତା'ର ଦର୍ଶନ, ଆଶିଷ, ସିଂହଦୁଆର

ବଡ଼ଦାଣ୍ଡ, ବଡ଼ ନେତ, ଆନନ୍ଦ ବଜାର।


ସେ ମୋର ପରିଚୟ, ସେ ମୋର ଅଭିମାନ

ସେ ମୋର ଆସ୍ପର୍ଦ୍ଧା, ଅହଙ୍କାର, ସମ୍ମାନ

ସେ ମୋର ସାହିତ୍ୟ, ସଂସ୍କୃତି, ନୃତ୍ୟ, ସଂଗୀତ

ମୋ ଜାତିର କଳା, ଭାସ୍କର୍ଯ୍ୟ, ମାନ,ମହତ

ସେ ମୋ ପରମ୍ପରା, ଭୂଗୋଳ, ଇତିହାସ

ମୋ ହୃଦୟର ସ୍ପନ୍ଦନ, ଉଡ୍ର ଜାତିର ଉପନ୍ୟାସ

ସିଏ ମୋ ସକାଳ, ଦ୍ଵିପ୍ରହର, ଗୋଧୂଳି, ରଜନୀ

ତାକୁ ନେଇ ମୋ ଜୀବନ-ମରଣ କାହାଣୀ


ମୋ ଜାତିର ଚିନ୍ତା, ଚେତନା, ଯାତନା

ସୁଖ, ସ୍ଵାଛ୍ଛନ୍ଦ୍ୟ, ଯନ୍ତ୍ରଣା

ମନ, ପ୍ରାଣ, ବିବେକ

ତନୁ, ତନ୍ତ୍ରୀ,ପୁଲକ

ସବୁଠି ସିଏମୟ, ଜଗାମୟ,

ସବୁଠି କାଳିଆମୟ,

ଆଃ, ତା ବିନା ଜୀବନ ଅଧୁରା,ନିସଙ୍ଗ,ଅସହାୟ।


ଅନେକ ଦିନ ହେଲାଣି ଦେଖିନି ତାକୁ।

ଏଥର ଖାଲି ତା ପାଖକୁ ଯିବିନି ଯେ

ଦୀପଟିଏ ଜାଳିବି

ଚକାପାରି ବସିବି

ସମସ୍ତଙ୍କର ମଙ୍ଗଳ ମନାସିବି

ତା ସିଂହାସନ ଆଗରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract