ନିର୍ବାଣ ପଥେ
ନିର୍ବାଣ ପଥେ
ସମୟର ସାଥେ ପ୍ରସାରିବା ପାଈଁ
ଦୌଡ଼ିଛି କେବଳ ଜୀବନେ ,
ଆଶା ଐରାବତ ସାକାର ପଣରେ
ତଲ୍ଲୀନ ଆତ୍ମାର ପ୍ରାଙ୍ଗଣେ ।
ଶୂନ୍ୟ ଆଜି ମୁଁ ଯେ, ଖାଲି ଖାଲି ପଣେ
ଏକାକୀ ମାୟାର ବନ୍ଧନେ ,
ଧୂସର ଧରଣୀ ପାଣ୍ଡୁର ଆକାଶେ
ଅଦୃଶ୍ୟ ଅନ୍ଧାରି ଗହନେ ।
ସମୟ ସରୁଛି ଦେହ ବି,ଭାଙ୍ଗୁଛି
ଅଦୃଶ୍ୟ ଇଶ୍ଵର ଇଚ୍ଛାରେ ,
ସବୁ ସ୍ବପ୍ନ ଆଉ ଆବେଗ ବନ୍ଧନ
ବ୍ୟାକୁଳ ହୁଅଇ ଛାତିରେ ।
ଖୋଜି ପାଏ ନାହିଁ ପୁଣ୍ୟର ନିର୍ମାଲ୍ୟ
ଯୋଡ଼ିବାକୁ ଭଙ୍ଗା ମନରେ ,
ଚିରିଦିଏ ଛାତି ଦାରୁଣ ଆଘାତେ
ବିଶ୍ୱାସର ବିଷ ଘୋଳରେ ।
ଧାରେ ବିଶ୍ଵାସରେ ଲଟକି ରହିଛି
ସଞ୍ଚିତ ଆୟୁଷ ଶୂନ୍ୟରେ ,
କେତେ ପ୍ରେମ କେତେ ମୋହ ଗଢ଼ା ସ୍ମୃତି
ବିଞ୍ଚି ହୁଏ ଅବଶୋଷରେ ।
ଶେଷହୀନ ଲୁହ ଶ୍ରାବଣର ଧାର
ଗୁମୁରି କାନ୍ଦୁଛି ଭିତରେ,
ମୁଠାଏ ପାଉଁଶ ହେବା ପାଇଁ ଆଶ
ନିର୍ବାଣ ପଥ ଅଭିସାରେ ।