STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ବାଦଲ ଉହାଡେ

ବାଦଲ ଉହାଡେ

1 min
182

ଆସ ଦେଖିଯାଅ ଆକାଶ ଛାତିରେ

ଭରା ଭରା କେତେ ତାତି,

ସାଇତା ଅନେକ ବେଦନା ବିଧୁର

ପୋଡ଼ା ନିଦାଘର ସ୍ମୃତି। 


ତତଲା ପବନ ଜାଳି ଦେଇଥିଲା

ସେଦିନର ସୁଖ ଯେତେ,

ଆଜି ଦେଖ କଳା ବାଦଲ ଉହାଡେ

ଶୀତୁଆ ଉଲ୍ଲାସ କେତେ। 


ନଥିଲା ବୈଶାଖ ନିଷ୍ଠୁର ଘାତକ

ସେ ଥିଲା ପରୀକ୍ଷା ବେଳ,

ନିୟତିର ଦାସ ତାର ବା କି ଦୋଷ

ବର୍ଷିଲା ଯଦି ଅନଳ। 


କେହି ନୁହେଁ ଏଠି ସ୍ଥିର ଚିରସ୍ଥାୟୀ

ଆୟୁଷରେ ସର୍ବେ ବନ୍ଧା,

ଏ ବେଳାର ଶୀତ ଅପର ବେଳାରେ

ଜଳୁଥିବ ଦେଇ ନିନ୍ଦା। 


ଆଜି ଦେଖ କାହିଁ ତପନ ପ୍ରତାପ

ବାଦଲ ରୋଷଣୀ ମେଳେ,

ଅହଙ୍କାର ଭାଙ୍ଗେ ଯେ ହେଉ ପଛକେ

ସମୟର ଈଶାରାରେ। 


ଝରି ଆସୁଛି କି ନବ ସମ୍ଭାବନା

ମେଘର ଛାତିକୁ ଚିରି,

ପ୍ରତୀକ୍ଷାର ଦିନେ ଅନ୍ତ ହୁଏ ନିଶ୍ଚେ

ଚମକେ ଜୀବନ ଶିରୀ।


ଝାଞ୍ଜି ଭରା ସବୁ ରାତି ଆଜି ଲାଗେ

ପାହାନ୍ତି ସପନ ଭଳି,

ଆଜିର ଏ ଭିଜା ଋତୁ ବଦଳିବ

ଗଡ଼ିଗଲା ପରେ କାଲି। 


ଘୋର ଗରଜନେ ଘଡ଼ଘଡ଼ି ଦିଏ

ଜଗତକୁ ଚେତାବନୀ,

ଭଳି ଯାଅନାହିଁ ଋତୁର ମାୟାରେ

ଶୁଣ ନିଜ ଅନ୍ତର୍ଧ୍ୱନୀ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract