ପ୍ରହେଳୀ
ପ୍ରହେଳୀ
ଈଶ୍ଵର ତ' ମୁକସାକ୍ଷି
ମଣିଷ ସାଜିଛି ମଣିଷ ବଇରୀ
ହୋଇ କାଳ ବଇଶାଖୀ ।
ଧରମ ନାମରେ ଭଣ୍ଡ
ଗୋଟାଏ ହାତରେ ଗୀତା ଭାଗବତ
ଆର ହାତେ ଦେଇ ଦଣ୍ଡ ।
ଲିପି ତ, ମଧୁର ଭାଷା
ପ୍ରପଞ୍ଚ ଅନ୍ତର ତୃଷାରେ କାତର
ମାୟାରେ ମୋହିତ ଆଶା ।
ଶରଧା ନହୁଏ କଳି
ଗୁଣ ଗାନ କରି ଚନ୍ଦନକୁ ବୋଳି
ଈର୍ଷାରେ ଯାଆନ୍ତି ଜଳି ।
ସମତା, ମମତା ଭରି
ସ୍ୱର୍ଗୀୟ ସୁଖର ସାତ ରଙ୍ଗ ଲେସି
ଅସ୍ତିତ୍ବ ଦିଅନ୍ତି ମାରି ।
ସୁଖ, ଶାନ୍ତି ଭାଙ୍ଗେ କଳି
ଘୃଣା, ବର୍ବରତା ମନେ ଅସ୍ଥିରତା
ନିରୀହ ପଡ଼ନ୍ତି ବଳି ।
ଆଖିରେ ଆଶା ବିଶ୍ୱାସ
ହୃଦୟ ପରଖି ସନ୍ଧିପତ୍ର ଲେଖି
ଆରମ୍ଭରୁ ହୁଏ ଶେଷ ।
ଉଖାରି ଜୁଇ ପାଉଁଶ
ଆଜିର ମଣିଷ ଶବ ଖୋଜୁଅଛି
ଦେବା ପାଇଁ ମୁଖେ ବିଷ ।