ଅନ୍ତରେ ମଉଳେ ଆଶା
ଅନ୍ତରେ ମଉଳେ ଆଶା


କିଏ ବା କାହିଁକି ସରାଗେ ପଢିବ ଅନ୍ତର ତଳର ଭାଷା
ମଉନ ରାଗରେ ଜୀବନ ଜୁଝୁଛି ଅନ୍ତରେ ମଉଳେ ଆଶା
ନାରୀର ଜନମ ପାଇଛି ସଂସାରେ ପୁଣ୍ୟର ଗହଣା ନାଇ
ଅନନ୍ତ ଦିଗନ୍ତ ଛୁଇଁବା କି ପାପ ବନ୍ଧନର ବନ୍ଧ ଡେଇଁ ?
ସମ୍ପର୍କର ମାନ ରଖିବା ଆଳରେ ନୁଆଇଁଛି ମୋର ମଥା
କର୍ତ୍ତବ୍ୟକୁ କରି ଜୀବନର ବ୍ରତ ସାଉଁଟିଛି ଖାଲି ବ୍ୟଥା ।
ସପନ ଜଳାଏ ଗୋପନେ ହୃଦୟ ପାଦ ବୋଲମାନେ ନାହିଁ
ଅଥୟ ପ୍ରାଣର ଇଚ୍ଛା ପୂର୍ଣ୍ଣ ପାଇଁ ମୁଁ ଯେ ନିରୁପାୟ କାହିଁ ?
କେମିତି ଚିହ୍ନିବି କିଏ ବା ନିଜର ଚିନ୍ତାରେ ଭ୍ରମିତ ଚିତ୍ତ
କାମନା ଜ୍ବାଳାରେ ଜଳିଯିବା ଭୟ ରୋଧୁଛି ପ୍ରଗତି ପଥ
ଅନେକ ଦିନରୁ ଜମାଟ ବାନ୍ଧିଛି ଅମାପ ନିଃଶବ୍ଦ କୋହ
ଶୂନ୍ୟତାକୁ ସାଥି କରି ବଖାଣୁଛି ପ୍ରାରବ୍ଧ ଖୁସିର ମୋହ ।
ଘୃଣା କି ସମ୍ମାନ ହିସାବ ରଖିନି ସୁଖଦୁଃଖ ସୀମା ମୋର
ଅଲୋଡା ଅକୁହା ପାଣ୍ଡୁଲିପିଟିଏ ଦଗ୍ଧପ୍ରାଣ ଅନ୍ତଃସ୍ଵର ।