STORYMIRROR

Dr Baman Chandra Dixit

Abstract

4  

Dr Baman Chandra Dixit

Abstract

ଲୁପ୍ତ ଆତ୍ମୀୟତା

ଲୁପ୍ତ ଆତ୍ମୀୟତା

1 min
313

ଚାଲୁଚାଲୁ କେବେ ବାଟ ଶୁଝେନାହିଁ

ପାଦ ଯାଏ କେବେ ଥକି

ଜଳଜଳ କରି ଅନେଇ ଥିଲେ ବି

ଦେଖି ପାରେ ନାହିଁ ଆଖି।।

ହାତ ପାହାନ୍ତାର ଦରବ ପଡିଛି

ଦରାଣ୍ଡୁଛି ସାରା ଘର

ଚଷମା ବସିଛି ମଥା ଉପରେ ମୋ

ଆଖି ହୁଏ ହରବର।।

ମରମ ଦହନେ ତରଳେ ବେଦନା

ପଲକେ ଯାଏ ଅଟକି

ଅକୁହା ଆକଟ ଅଟକାଏ ବାଟ

ଆଖି କୋଣେ ଯାଏ ଲାଖି ।।

ଆକୁଳ ହୃଦୟେ ସାଇତା ଆଜି ବି

ସ୍ମୃତିର ଅଡ଼ୁଆ ଖିଅ

ଅସଜଡ଼ା ହେଉ ହେଲେ ରହିଥାଉ

ସଜାଡ଼ିବାକୁ ବି ଭୟ।।

ହେବାକୁ ଅଜେୟ ନୁହଁ ଅଭିପ୍ରାୟ

ମାତ୍ର ବିଜୟର ଆଶା

ତେବେ ସିନା ଅଛି ନିଶ୍ବାସ କହୁଛି

ଜୀବନର ପରିଭାଷା।।

ଦାଣ୍ଡ ଦୁଆରର ମାଙ୍କଡ଼ା ପଥର

କେବେଠୁଁ ଗଲାଣି ହଜି

ଚିହ୍ନା ଦୁଆରର ଅଚିହ୍ନା ପାହାଛ

କେମିତି ପାରିବ ବୁଝି।।

ଆତ୍ମୀୟତା ଠିଆ ଉଈ ହୁଙ୍କା ପରି

ଭିତରେ ଭିତରେ ଖୋଳ

ମୃଦଙ୍ଗର ମୃଦୁ ବାଦନ ମଧୁର

ଢାଇଁ ଢାଇଁ ବାଜେ ଢୋଲ।।

ତଥାପି ପୋଖରୀ ପାଣି ଚହଲୁଛି

ତୁଠ ପଥରକୁ ଛୁଇଁ

କେମିତି ଭୁଲିବ ଜୁଆଣି କୁ ପାଣି

ପ୍ରବାହ ଥାଉ କି ନାହିଁ।।

ପାପୁଲି ରଖିଛି ଆଖି ଉପରେ ମୁଁ

ନିଦ ହୁଏ ଢଳ ଢଳ

ଶୋଇ'ଯା ବାମନ ଏହି ତ ଜୀବନ

ଆଉ ଅଛି କେତେ କାଳ।।


এই বিষয়বস্তু রেট
প্রবেশ করুন

Similar oriya poem from Abstract