ରଙ୍ଗୋଲୀ
ରଙ୍ଗୋଲୀ
ରଙ୍ଗରେ ରଙ୍ଗରେ ରଙ୍ଗ ପିଚିକାରୀ
ହୋଇଥାଏ ରଙ୍ଗ ହୋଲି
ଗାଆଁ ଠୁ ସହର ପଲ୍ଲୀଠୁ ନଗର
ନା କିଏ ପାରି ଥାଏ ଭୁଲି ।
ଫଗୁଣ ଆସିଲେ ହୁଅନ୍ତି ତନ୍ମୟ
ମନରେ ପୁଲକ ଭରେ
ଆମ୍ବ ବଉଳର ବାସ ଚହଟଇ
ସଭିଙ୍କ ଚିତ୍ତକୁ ହରେ ।
ଫଗୁ ଦଶମୀରେ ଫଗୁରେ ମାତନ୍ତି
ରାଧା କୃଷ୍ଣ ପାଇଁ ଭକ୍ତେ
ମଥାରେ ବୋଳନ୍ତି ଫଗୁର ଅବିର
ପୁଲକ ଆସଇ ଚିତ୍ତେ ।
ଦୋଳ ପୂର୍ଣ୍ଣିମାରେ ଗୋପାଳ ଭାଇ ଯେ
ଫଗୁରେ ଖେଳନ୍ତି ଖେଳ
ଲଉଡି ଖେଳରେ ଫଗୁ ରଙ୍ଗୋଲୀରେ
ବିତି ଯାଇଥାଏ ବେଳ ।
ପୂର୍ଣ୍ଣିମା ଯେ ଗଲେ ହୋଲି ଆସି ଥାଏ
ହୁଅନ୍ତି ସବୁ ରଙ୍ଗୋଲୀ
ଗୀତ ନାଚ କରି ହୁଅନ୍ତି ବିଭୋର
ଖେଳି ସିଏ ରଙ୍ଗ ହୋଲି ।
ରଙ୍ଗୋଲୀ ପକାନ୍ତି ଘର ଅଗଣାରେ
କାର୍ତ୍ତିକର ପଞ୍ଚୁକରେ
ଏତେ ସୁନ୍ଦର ସେ ହୃଦୟକୁ ଜିଣେ
ନା ଆଖି ଫେରି ପାରେ ।
ପ୍ରତି ଅଗଣାରେ ଦେବା ଦେବୀ ସ୍ଥାନେ
ଚଉରା ମୂଳେ ରଙ୍ଗୋଲୀ
ରଙ୍ଗୋଲୀ ପକାନ୍ତି ଚିତ୍ତକୁ ହରନ୍ତି
ପାରନ୍ତିନି କେହି ଭୁଲି ।
ସପ୍ତରଙ୍ଗ ଧରି ଖେଳନ୍ତି ରଙ୍ଗୋଲୀ
ମାରି ରଙ୍ଗ ପିଚିକାରୀ
ଭେଦଭାବ ଭୁଲି ହୁଅନ୍ତି ରଙ୍ଗୋଲୀ
ମନେ ଆଶା ଅସୁମାରୀ ।
ରଙ୍ଗୋଲୀରେ ସବୁ ହୁଅନ୍ତି ବିଭୋର
ବରଷକୁ ଥରେ ଇଏ
କାହାକୁ ଭୁଲେନି ସବୁ ଦେହ ଛୁଏଁ
ସଭିଙ୍କୁ ସେ ଭଲ ପାଏ ।
ହାତ ଠାରି ଡାକେ ଏଇତ ବସନ୍ତ
କହେ ଯାଅ ନାହିଁ ଭୁଲି
ପ୍ରେମର ରଙ୍ଗରେ ରଙ୍ଗୋଲୀ କରିବି
ଖେଳିଯିବା ରଙ୍ଗ ହୋଲି ।