ଗୋମାତା
ଗୋମାତା
ମାନବ କଲ୍ୟାଣ ନିମନ୍ତେ ଆବିର୍ଭାବ ତୋର
ଦିବ୍ୟ ସୃଷ୍ଟି ରୁପେ ଈଶ୍ବରଙ୍କ ଉପହାର ।
କାମଧେନୁ ରୂପେ ପ୍ରସିଦ୍ଧି ଜଗତେ ତୋହର
ସର୍ବ ମନୋବାଞ୍ଛା ପୂରାଉ ଜଗତ ଜନର ।
ତେତ୍ରିଶ କୋଟି ଦେବତା ଯହିଁ ଥାନ୍ତି ବସି
ପ୍ରତି କାର୍ଯ୍ୟ ଶୁଭ କରୁ ପଞ୍ଚାମୃତକୁ ପରଶି ।
ତୋର ସେବା କାର୍ଯ୍ୟ କରି ଯଶୋମତୀ ନନ୍ଦ
ପୁତ୍ର ରୂପେ ଦ୍ବାପରରେ ପାଇଥିଲେ ଆଦିକନ୍ଦ ।
ଯେବଣ ଗୃହସ୍ଥ ଗୋସେବା କରେ ସଦା
ସମସ୍ତ ବିପଦ ହରୁ ନ କରି ଦ୍ୱିବିଧା ।
କ୍ଷୀର ତୋର ଜୀବନଦାୟୀ ପୀୟୁଷର ଧାରା
ନବଜାତଠାରୁ ବୃଦ୍ଧ ସଭିଙ୍କ ସାହାରା ।
ସର୍ବଂସହା ଧରିତ୍ରୀର ପ୍ରତୀକ ରୂପିଣୀ
ସେବା ଧର୍ମ ସର୍ବୋପରି ମାନବ କଲ୍ୟାଣୀ ।
ତୋ କ୍ଷୀରରେ ଅଭିଷେକ ମହାଦେବଙ୍କର
ପୂର୍ଣ୍ଣ କରେ ମନସ୍କାମ ଯଜମାନଙ୍କର ।
ବତ୍ସାକୁ ପାଳି ଶିଖାଉ ସଂସାରର ମାର୍ଗ
ତ୍ୟାଗପୂତ ଜୀବନ ହିଁ ଲଭିଥାଏ ସ୍ବର୍ଗ ।
ଚକ୍ଷୁଦ୍ବୟ ତୋ ବାସସ୍ଥାନ ସୂର୍ଯ୍ୟ ଚନ୍ଦ୍ରଙ୍କର
ଗୋରସ ଗୋବର ଦେଇ ପାଳୁ ତୁ ସଂସାର ।
ତୋହରି ପୁଛରେ ବାସ ହନୁମାନଙ୍କର
ଛାଡ଼ି ପଳାନ୍ତି ଲାଞ୍ଜ ସ୍ପର୍ଶେ ଭୂତ ପିଶାଚ ପ୍ରବର ।
ଆସନ୍ନ ପ୍ରସବା ସାଜେ ବନ୍ଧ୍ୟା ନାରୀ ଜାଣ
ନବ ପ୍ରସୂତୀ ଗାଈ କସକ୍ଷୀର ସେବନ କରିଣ ।
କାଳୀ ଗାଈକୁ ପୂଜିଲେ ହୁଏ ନବଗ୍ରହ ଶାନ୍ତି
ସାତ ଗାଈଙ୍କୁ ସେବିଲେ ଶତ୍ରୁ ଘର ନ ମାଡ଼ନ୍ତି ।
ଭ୍ରାମ୍ୟମାଣ ମନ୍ଦିର ସେ ଯହିଁ ଦଣ୍ଡେ ଅଟକନ୍ତି
ସେ ସ୍ଥାନର ବାସ୍ତୁଦୋଷ ଉଭାନ ହୁଅନ୍ତି ।
କାହିଁ ସେ ସାମର୍ଥ୍ୟ ମୋର ତୋର ଗୁଣ ବଖାଣିବି
ଅମୀମାଂସିତ ସମସ୍ୟା ନିବାରଣେ ତୋ କାନେ କହିବି ।
ପ୍ରଣାମ କରୁଛି ଗୋମାତା ସର୍ବ ଦୋଷ ନିବାରିଣୀ
ତୋ ସେବାରୁ ବଞ୍ଚିତ ନକର ଗୋ ଜଗତ ଜନନୀ ।