STORYMIRROR

Gyanaranjan Sahoo

Abstract Fantasy

4  

Gyanaranjan Sahoo

Abstract Fantasy

ଅବ୍ୟକ୍ତ

ଅବ୍ୟକ୍ତ

1 min
380

ପ୍ରେମର ଶିହରଣରେ ଆତ୍ମ ବିଭୋର ହେବାଟା

ଶିଖାଇଥିଲ ତୁମେ

ଆଖି ସିନା ବନ୍ଦ ଥିଲା

ସୁପ୍ତ ଚେତନାରେ ବି ଏମିତି ଆକର୍ଷିତ କରିଥିଲ ଯେ

ବାସ୍ତବ ପ୍ରେମର ଉବୁଟୁବୁ ଉତ୍ସୁକତା

ବାନ୍ଧି ନେଉଥିଲା ମୋତେ ।


ଅସୁମାରୀ ଆଶା ଅସରନ୍ତି ଗାଥାର ଭରସାରେ

ପାଦ ଥାପିଥିଲି ନୂତନ ଝଲମଲ ଦୁନିଆରେ

ଲାଗୁଥିଲା ଖୁସିର ମହଲଟିଏ,

ସବୁରି ଭିତରେ ବେଶ୍ କିଛିଦିନ

ନାଚୁଥିବାର ଦେଖୁଥିଲି

ମୋରି ପ୍ରତିବିମ୍ବ ।


ଧିରେ ଧିରେ ସ୍ବୟଂଚାଳିତ କଣ୍ଢେଇରୁ

ବ୍ୟାଟେରି ସରି ସରି ଆସିଲା ପରି

ଅବଶ ହୋଇପଡୁଥିଲା ଦେହ ଆଉ ମନ

ସୁନାପରି ଚକ୍ ଚକ୍ କରୁଥିବା ସଂସାରଟା

ଜଉ ଗଦା ଉପରେ ଭାରଦେଇ ଠିଆ ହୋଇଥିଲା

ସ୍ଫୁଲିଙ୍ଗ ଅପେକ୍ଷାରେ ।


ନିଜ ଉପରେ ଆଖିପକାଇ ଆଣିଲି ଥରେ

ଫେରିଗଲା କି ଯଉବନ ଛୁଁ ଛୁଁ ଫଗୁଣ

ମାଡ଼ିଆସୁଛି କି ସୁନାମି

ଭସେଇ ନେଉଛି କି ଓଠର ଲାଲିମା

ସବୁ କିଆଁ ଫିକା ଫିକା ।


ଘଡ଼ଘଡ଼ି ଚଡ଼ଚଡ଼ିର ମୂଷଳ ବର୍ଷାପରେ

ଶ୍ରୀହୀନ ଧରଣୀର ଶୋଭା

ଯେମିତି ଶୂନ୍ ଶାନ ରାସ୍ତା

ଜୁଳୁଜୁଳିଆ ପୋକ ପରି ଉଡ଼ି ପାରୁନଥିଲେ ମଧ୍ୟ

ଚାଦର ଭିତରେ ଢାଙ୍କିହୋଇ ରହିଥିବା

ଜୁଳୁ ଜୁଳୁ ଆଖିଗୁଡାକ ଦୃଷ୍ଟି ନିକ୍ଷେପ କରିଛନ୍ତି

ସେହି ରାସ୍ତା ଉପରକୁ ।


ସ୍ଥାଣୁ ଯାଦୁର ପାହାଡ଼ ଭଳି

ସଦ୍ୟସୃଷ୍ଟ କାଦୁଅ ରାସ୍ତାରେ

ଘୋଷାରି ହେଉଥାଏ ମୁଁ

ପାଦ ଦୁଇ ଅନିଛାର ବଶବର୍ତ୍ତୀ

ଥକ୍କା ମାରିପାରୁନଥିବା ଧଇଁସଇଁ ନିଃଶ୍ୱାସ ପ୍ରଶ୍ବାସ

ଅସଜଡ଼ା ଅବୟବ ଆଭରଣ ଜୁଡ଼ା

ମୁଖରେ ବିରକ୍ତିର ଚିତ୍ରପଟ୍ଟ

ହାତଧରି ଭିଡ଼ି ଘୋଷାରି ଚାଲିଛନ୍ତି ସନ୍ତର୍ପଣରେ ଆତ୍ମୀୟମାନେ

ଖାଲଖମାରେ ପଡ଼ି ଆଘାତ ଓ କ୍ଷତରେ

ଜର୍ଜରିତ ଦେହ ଓ ମନ

ତଥାପି ବାହାରିପାରୁନି ପ୍ରତିବାଦର ସ୍ବର

କଣ୍ଠରୁ ଉଠି ମଧ୍ୟ ପାଟିଭିତରେ ମିଳେଇଯିବାକୁ ବାଧ୍ୟ ।


ହେ ସ୍ବପ୍ନ ! ଏଇଥିପାଇଁ କଣ ତୁମେ

ଏତେ ସୁନ୍ଦର ଅନୁଭବ ଭରିଥାଅ ନିଦ୍ରା ଭିତରେ

ବାସ୍ତବ ଜଗତଟା ତୁମପାଇଁ ପ୍ରଯୁଜ୍ୟ ନୁହେଁ ବୋଲି

ଖୋଲା ଆଖିର ବାସ୍ତବତା ଭିତରେ

ତୁମେ କଣ ହଜିଯାଅ !


ତୁମକୁ ଖୋଜିବାକୁ କଣ

ଆଖିବୁଜିବାକୁ ପଡ଼ିବ ?

ଏଇ ଅନ୍ଧାରକୁ ଚିରି ମୋ ପାଇଁ

ଇନ୍ଦ୍ରଧନୁର ସପତରଙ୍ଗରେ ମାଖିହୋଇ ଆସିବ

ତୁମର ଇନ୍ଦ୍ରଜାଲରେ ମୋତେ ମୋହିତ କରିବ

ଅଚେତନ ମନରେ ମୁଁ ପୁଣି ହୋଇବି କି ଖୁସି ?

ଆଉଥରେ ବାସ୍ତବ ଜଗତ ଦେଖିବାକୁ କରିବିନି ଇଚ୍ଛା

ତୋ କୋଳରେ ମୁହଁ ଗୁଞ୍ଜି

ଅନନ୍ତ ନୀଳିମା ଭିତରେ

ଅବ୍ୟକ୍ତହୋଇ ଭାସୁଥିବି !

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract