STORYMIRROR

Gyanaranjan Sahoo

Tragedy Others

4  

Gyanaranjan Sahoo

Tragedy Others

ବାତ୍ୟା ଓ ଓଡ଼ିଶା

ବାତ୍ୟା ଓ ଓଡ଼ିଶା

1 min
338

       

ଭାଙ୍ଗିଦିଏ ଗରିବର ଅଣ୍ଟା

ଘରଦ୍ୱାର କାନ୍ଥବାଡ଼ ଭୁଇଁରେ ମିଶଇ

ଆଶାର ଆକାଶରୁ

ଛଡ଼ାଇ ନିଏ ଛପର

ବାସହରା ହୁଅଇ ମଣିଷ

ବହଇ ଜୀବନରେ ପବନ ଅଣଞ୍ଚାଶ ।


ବାତ୍ୟାର ପ୍ରକୋପରେ ଟେକିପାରେନା ମୁଣ୍ଡ

ମହାଦ୍ରୁମର ଅସ୍ତିତ୍ବ

ମୁଣ୍ଡ ବାଡେଇ କଚାଡ଼ି ପଡ଼ଇ

ହାରମାନି ଶୋଇଯାଆନ୍ତି ଅନେକ

ଟାଙ୍ଗିଆ କଟୁରୀ କରତର ଶାଣିତ

ଯନ୍ତ୍ରଣା ପାଇଁ ଅପେକ୍ଷାରେ ସ୍ଥିତ ।


ଉପକୂଳ ଇଲାକାରେ ସମୁଦ୍ରର ହୁଙ୍କାର

ପବନର ଉଗ୍ରଖେଳ ଚକା ଚକା ଭଉଁରୀ ରୂପରେ

ତା’ ବାଟରେ ଯିଏ ବି ଆସିଲା

କାହା ଭାଗ୍ୟେ ଲେଖେ ମୃତ୍ୟୁ

ଗଛ ଅବା କାନ୍ଥ ପଡ଼ିବାରେ

ଭାସିଯାଆନ୍ତି କିଏ ପୁଣି

ପୋତିହୋଇ ବାଲିର ଭିତରେ

ଉତୁଙ୍ଗ ଲହରୀର କରାଳ ଗ୍ରାସରେ ।


ଗାଆଁ ଗାଆଁରେ ଲୁଣାପାଣି ମାଡ଼ିଯାଇ

କରେ ହନ୍ତସନ୍ତ

ପାନୀୟ ଜଳମୁନ୍ଦେ ପାଇଁ

ସଭିଏଁ ହରକତ

ଘରବାର ଉବୁଟୁବୁ

ଚୁଲି ସବୁ ପଡ଼ିଯାନ୍ତି ଶାନ୍ତ

ଆଗ୍ନେୟଗିରିରୁ ଲାଭା ନିର୍ଗତ ପରେ

ସମୁଦ୍ରର ଅଥଳଗହ୍ବରେ ଯେପରି

ଶାମୁକାର ହୋଇଯାଏ ଅନ୍ତ ।


ପ୍ରାକୃତିକ ବିପର୍ଯ୍ୟୟ ସଦା ଓଡ଼ିଶାକୁ ଘାରେ

ପ୍ରତିବର୍ଷ ବାତ୍ୟା ଆସେ ଜଳଧିକୁ ଚିରି

ବଙ୍ଗୋପସାଗରରେ ଦାନା ବାନ୍ଧି

ଭୟ ଜଗାଏ ଓଡ଼ିଆର ହୃଦୟକୁ ବିନ୍ଧି ।


ଦଶନ୍ଧି ଠାରୁ ଶତାବ୍ଦୀ ଶତାବ୍ଦୀ ଧରି

କେତେ ଯେ ହନନ କରିଛନ୍ତି ବାତ୍ୟା ସମୂହ

ଇତିହାସେ ଲିପିବଦ୍ଧ ଅନାହୂତ ଆତଙ୍କ

ଖୋଜି ପଢ଼ି ଶୁଣିବାକୁ ଧୈର୍ଯ୍ୟ କାହିଁ କା’ର

ହଜାର ହଜାର ଓଡ଼ିଆଙ୍କ ମୃତ୍ୟୁର ଚିତ୍କାର ।

ଉଣେଇଶ ଶହ ଅନେଶୋତ ମହାବାତ୍ୟାର 

ହୃଦୟଫଟା ଅନୁଭୂତି ଲିଭୁନି ମନରୁ

ଓଡ଼ିଶାକୁ ଛାରଖାର କରି ଦେଲା

ଦଶହଜାର ମୃତ୍ୟୁର ସାକ୍ଷାତକାର ।


କିଛିଦିନ ଅନ୍ତରାଳ ପରେ ବାରମ୍ବାର

ଵହିଆସନ୍ତି ସୁ ସୁ ଗର୍ଜନରେ ଦୁଃଖର ଦାୟାଦଗଣ

ଭଲପାଆନ୍ତି ଧସେଇ ପଶିବାକୁ

ଫି ସନ ମଇ ବା ଅକ୍ଟୋବର ମାହରେ

ଧରି ଉଗ୍ରରୂପ ଫାଇଲିନ୍ ହୁଡ଼ହୁଡ଼୍

ତିତିଲି ଫଣି ଅମ୍ଫନ ରୂପରେ

ଏବେ ପୁଣି ଉପସ୍ଥିତ ୟାସ ନାମରେ ।


ବାୟୁର ତାଡ଼ନାରେ ବର୍ଷାରାଣୀ

ନାଚୁଥାଏ ହୋଇ ଉଚ୍ଛୃଙ୍ଖଳ

ପ୍ରକୃତିର ଧ୍ବଂସ ତାଣ୍ଡବରେ 

ସିଞ୍ଚି ସିଞ୍ଚି ଅଗସ୍ତିଙ୍କ କମଣ୍ଡଳୁ ଜଳ ।


ପ୍ରତିକାର ଅସମ୍ଭବ ପ୍ରତୀତ ହୁଅଇ

ପୂର୍ବାନୁମାନ ଧରି ନିରୀକ୍ଷଣ କରି ବେଗ ଗତିପଥ

ବିଜ୍ଞାନର କରାମତି ନୀରବ ନିଥର 

ସ୍ବତନ୍ତ୍ର ଆଶ୍ରୟସ୍ଥଳ ଛପାଇବାକୁ ସମର୍ଥ ହୁଏ ଜୀବନକୁ

ସୁରକ୍ଷା ବଳୟ ଭିତରେ ରଖି

ବଞ୍ଚିବାର ଆଶାକୁ ଉଦ୍-ଜୀଵିତ କରି

ସେ ଚାଲିଗଲା ପରେ

ତଥାପି ହଜିଯାଏ କେଉଁଠି ନା କେଉଁଠି

ମଣିଷର ଜୀବନ ଶତଚେଷ୍ଟା ପରେ ।



Rate this content
Log in

Similar oriya poem from Tragedy