ତେର ନମ୍ବର
ତେର ନମ୍ବର
ଖୁସିରେ ପାଳଇ ଭାଲେଣ୍ଟାଇନ୍ ଚଉଦ ନମ୍ବର ସାଥିରେ
ତେର ନମ୍ବରଟା ଧକ ଧକ ହୋଇ ନାଲିସ କରିଲା ଥାନାରେ
ପୁଲିସ ବାପୁଡ଼ା କୁତୁକୁତୁ ହୋଇ କର୍ତ୍ତବ୍ୟ ଆଳରେ
ଦଶ ରାଜ୍ୟରେ ଅଣ୍ଡାଳେ ହୋଟେଲ ରେସର୍ଟ ଭିତରେ ।
ସହଜ ଜନ୍ତୁ କି ଭାଲେଣ୍ଟାଇନ୍ ବଏ ଧରାପଡ଼ିଯିବ ହାଟରେ
ଦଶ ନାମଧାରୀ ଛଦ୍ମବେଶୀ ସିଏ ନକଲି ଡାକ୍ତର ପେଶାରେ
କି ଦୋଷ ତାହାର ପ୍ରେମୀ ବନ୍ଧୁଗଣ ବିଚାରିବ ଟିକେ ଚିତ୍ତରେ
ସ୍ବାମୀ ଛାଡ଼ି କେତେ ଏକାକୀ ଅବଳା ପଡ଼ିଥିଲେ ତା' ମୋହରେ ।
ଦୁଇହାତେ ତାଳି ନ ବାଜିଲେ ବନ୍ଧୁ ଶବଦ କେମିତି ହୁଏରେ
ଗୋଟେ ଅଧେ ନୁହେଁ ଡଜନେ ଦୁଇ କିପରି ପଡ଼ିଲେ ପାଲରେ !
ଦୋକାନ ଆଗରେ ବୁଲା ଷଣ୍ଢ ଠିଆ କିଏ ସେ ଦେଖିନି ସହରେ
ଦେଲେ ଯାଇ ସେ ମୁହଁରେ ଦିଅଇ ନଦେଲେ ଚାଲେ ତା' ବାଟରେ ।
ପ୍ରେମିକା ନଥିଲେ ପ୍ରେମର ସାଧନା ରାସଲୀଳା କାହା ନାମରେ ?
ପାରିବାର ଥିଲା ! ଖସାଇ ନେଇଛି ଲକ୍ଷ ଲକ୍ଷ ତା' ଅଣ୍ଟିରେ
ଗୁମ୍ଫା ଖୋଲିବାର ଯାଦୁ ଜାଣିଥିଲା ଲୁଟୁଥିଲା ମନମର୍ଜ୍ଜିରେ
ତାଙ୍କ ପଇସାରେ କୋଟିପତି ହୋଇ ମସଗୁଲ୍ ରାଜଧାନୀରେ ।
ନାଲିବତୀ ଗାଡ଼ି ଚଢୁଥିଲା ସିଏ ହାଇ ପ୍ରୋଫାଇଲ ବେଶରେ
ଫେକ୍ ଆଇଡି ଜାଲ୍ ଆଧାର କରିଥିଲା ଭିନ୍ନ ନାମରେ
ଅନେଶୋତ ସ୍ତ୍ରୀ ମହାଜନ କିଏ କରିଥିଲେ ଢେଙ୍କାନାଳରେ
ଭାରି ଇଛା ତା'ର ଭାଙ୍ଗିବ ରେକର୍ଡ଼ ଶତକ ହେବ ତା' ନାମରେ ।
ସବଳା ନଥିଲେ ସ୍ବାଧୀନ ଅବଳା ମଜ୍ଜିଥାନ୍ତେ ବିନା ଦ୍ବିଧାରେ ?
ପୁରୁଣା ପାଞ୍ଚଟା ଶାନ୍ତ ପଡ଼ିଲେଣି ନିକିତି ପରଖି ଦଣ୍ଡିରେ
ମନ କରିଥିଲା ନଅଟାକୁ ଆଣି ଲୀଳା କରିବାକୁ ଏକ ସଙ୍ଗରେ
ବୁକିଂ ସରିଥିଲା ଫାର୍ମ ହାଉସ ଗେଷ୍ଟ ଆସିବାର ଥିଲା ରାତିରେ ।
ମାମୁଁ ପହଞ୍ଚିଲେ ତେର ସାଥିରେ ମନ ମୋହି ଦେଲେ ଠେଙ୍ଗାରେ
ପ୍ରେମୀମାନେ ସବୁ ଲୁଚି ଖସିଗଲେ ହଜିବେ କି ଆଉ ଅନ୍ଧାରେ ?
ଠକ ଧୋକାବାଜ ଦଫାକୁ ଲଗେଇ ଖାକି ଦେଲା ଠେଲି ଜେଲ୍ ରେ
ସଲାମ କରିଲା ବାଃ ରେ ଆଇନ୍ ! ଷଣ୍ଢକୁ ବାନ୍ଧିକି ଓଲେଇ ଛାଡୁଛୁ ପଦାରେ !!

