STORYMIRROR

Gyanaranjan Sahoo

Tragedy Classics Others

4  

Gyanaranjan Sahoo

Tragedy Classics Others

ମୃତ୍ୟୁର କୋଳରେ

ମୃତ୍ୟୁର କୋଳରେ

1 min
234


ସିଏ ତା ମର୍ଜିର ମାଲିକ

ହେବନାହିଁ କାହିଁକି ?

ଆମେ କଣ କମ୍ କି ?

ବିଶ୍ୱ ଜଳବାୟୁରେ ପରିବର୍ତ୍ତନ

ପ୍ରକୃତିର ଜରାୟୁରୁ ଯେତିକି ନୁହେଁ

ନବେଗୁଣା ଆମ ବେଖାତିରରୁ ।


ଶ୍ରେଷ୍ଠ ସୃଷ୍ଟି ମଣିଷ

ପ୍ରକୃତି ମାଆ ପାଇଁ ଖୋଜିଲାଣି ଜରାଗୃହ

ନା ତାକୁ ରୋକିବାକୁ ନା ଟୋକିବାକୁ

କିଏ ଆସିବ ?

କାହିଁକି ଆସିବ ?

ତା’ର କଣ ମୃତ୍ୟୁକୁ ଭୟ ନାହିଁ ଯେ

ମନୋରୋଗଗ୍ରସ୍ତ ମଣିଷକୁ ଆହ୍ୱାନ ଦେବ !


କୋଟି କୋଟି ଜନତାଙ୍କୁ ଯୁଦ୍ଧରେ ବା ଛଳରେ

ମାରିବାର ନିପୁଣ ମଣିଷ ଏବେ

ଭୂତାଣୁ କୀଟାଣୁ ତିଆରିବାରେ ବ୍ୟସ୍ତ

ନିଶ୍ଚିହ୍ନ କରିବା ପାଇଁ ମଣିଷ ଅବଶେଷ

ହେ ଶ୍ରେଷ୍ଠ ଜୀବ ! ପାରୁଛୁ ଯଦି

ଏମିତି କିଛି ସୃଷ୍ଟି କର ଯାହା

ତୋର ଅସ୍ତିତ୍ବକୁ ରକ୍ଷା କରିପାରିବ ।


ଅନେକଙ୍କୁ ମାରିଦେଇ 

ନିଜେ ମରିଯିବାର କି ଯଶ !

ଆପଣା କର୍ମରେ ବଂଶ ନାଶ ପାଇଁ

ଅସୁର କୂଳ ଥିଲେ ପୁରାଣ ପ୍ରସିଦ୍ଧ

କଳିକାଳରେ ସେ ଶୂନ୍ୟସ୍ଥାନ

ପୂରଣ ପାଇଁ ତୁ ହେଉ ପ୍ରତିବଦ୍ଧ !!


ସ୍ବାର୍ଥ ସିଦ୍ଧିପାଇଁ ପ୍ରକୃତିକୁ କରୁ ନଷ୍ଟଭ୍ରଷ୍ଟ

ସଂସାରର ମୃତ୍ୟୁ ପାଞ୍ଚେ ତୋ କାର୍ଯ୍ୟାବଳୀ

ଅମରତ୍ୱର ବରରେ ତୁ ନୁହେଁ ବଳିୟାର

ନିଃଶେଷ ହେବାର ଅନିଶ୍ଚିତତା ଭିତରେ

ତୋର ଆୟୁ କେତେ କ୍ଷଣ ?


ଅନେକଙ୍କ ପାଇଁ ତୁ ସାଜୁ ମୃତ୍ୟୁଦୂତ

ଉଦ୍ୟୋଗ ପ୍ରଯୁକ୍ତି ମାରଣାସ୍ତ୍ର ଶିଳ୍ପ କରି ବୃଦ୍ଧି

ପ୍ରାଣଦାତ୍ରୀର ହୃଦୟକୁ କରି ବିଦାରିତ

ନାଶୁଅଛୁ ଜୀବଜଗତକୁ ଦୁଇ ପଇସାର ମୋହରେ

ଆରାମ ଦାୟକ ଜୀବନ ପାଇଁ ସଂକୀର୍ଣ୍ଣ ମନୋଭାବ ଧରି

ବିନାଶର ପ୍ରତିଦ୍ବନ୍ଦିତାରେ ଧ୍ବଂସାସୁର ପଦ ନେଉ ବରି ।


ପ୍ରକୃତିର ଧୈର୍ଯ୍ୟକୁ ତୁ ପରୀକ୍ଷା ନକର

କାଳର ମୁଖରେ ତୁ କୀଟଠାରୁ ଛାର

ମୂର୍ଖାମିର ବାହୁସ୍ଫୋଟେ ଦେଖାଉ ବଡ଼ିମା

କିଞ୍ଚିତ ଆବିଷ୍କାର ଉଦ୍ଭାବନରେ

ଲଂଘିବାକୁ ବ୍ୟଗ୍ର ଚରମ ସୀମା

ଦେଖ ଆଖି ଖୋଲି ସଞ୍ଜୟର ଦିବ୍ୟଦୃଷ୍ଟି ନେଇ

ମୃତ୍ୟୁର କୋଳରେ ତୁ ହେବା ପାଇଁ ଉପସ୍ଥିତ

ଦଉଡୁଛୁ ପ୍ରତିଯୋଗୀ ବେଶ ନେଇ !!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy