ଅପେକ୍ଷା
ଅପେକ୍ଷା


ଵେଶ୍ !
ମେଘଠାରୁ ଚଗଲି ହୋଇ
ପ୍ରଜାପତି ଠାରୁ ଆହୁରି ରଙ୍ଗୀନ ସାଜି
ବିଜୁଳି ଠାରୁ ଚମକି ଉଠି
ଚଗଲାମି ବୟସରେ ମନର କାନଭାସରେ
କଳ୍ପନାର ପୁଟ ଦେଇ
ଆଙ୍କିଚାଲୁଥିଲି କେତେ ଛବି ।
ଏଇ ତ!
ଜୀବନର ମରୁଉଦ୍ୟାନରେ ଏକାକୀ ବସି
ମନେ ମନେ ହସି
ହୃଦୟ ଭିତରେ ସୁଖକୁ ଖୋଜିବାର ସ୍ପୃହା
ଅହର୍ନିଶି ନିର୍ଜନତା ବୋଧ କରିବା
ଆଖିର କଜ୍ଜଳ ଗାରରେ କାହାକୁ ଖୋଜିବା
ବାସ୍ ଟିକକ ସୁଖ ଅନୁଭବ ପାଇଁ ।
ଏଇ ତ!!
ବସନ୍ତ ଋତୁରେ ମଳୟ ପବନକୁ ସାଥି କରି
ଓଠର ତତଲା ଲୁହକୁ
ଅମୃତ ପରି ପିଇଚାଲେ
କେତେ ଦିନ କେତେ ରାତ୍ରି
ଭାଗ୍ୟ ର ଦ୍ବାହି ଦେଇ
ବାସ୍ ଖାଲି ବଞ୍ଚିବାର ଆଶା ନେଇ ।
ଆଜି ତ!!
ଚିହ୍ନା ମୁହଁ ଅଚିହ୍ନା ସାଜିଛି
କେଉଁ ଏକ ବିଗତ ଅତୀତ
ଆଜି ବି ଦାଉ ଦାଉ ହୋଇ ଝଟକୁଛି
ଶ୍ରୀମନ୍ତିନି ମଥାର ସିନ୍ଦୁର ପରି
ରକ୍ତ ଗୋଲାପ ପରି ସତେଜ ଅଛି
ହୃଦୟର ଦରଜାରେ ।
ବାସ୍ ଇଛା ଜାଗ୍ରତ ଅଛି
ବୟସର ଅପରାହ୍ନରେ ସବୁ ଫିକା ପଡିଛି
ଜୀବନ ସାଜିଛି ଜଟିଳ ପ୍ରଶ୍ନ
ସମୟ ପରିବର୍ତ୍ତିତ
ଆଜିପରି ଲାଗୁଛି ସେ ଦ୍ୱୀପ୍ରହର ର ବେଳା
ଖୋଜୁଛି ପାହାନ୍ତି ତାରା ।
ବୟସର ରଙ୍ଗ ଖୁବ ନିଆରା
କେବେ ତାଜା ତାଜା ତ!
କେଵେ ଫିକା ଫିକା
କିନ୍ତୁ ଜୀବନର ରଙ୍ଗ
ସମାହିତ ଜଟିଳ ପ୍ରଶ୍ନ ସବୁର
ଅଙ୍କାବଙ୍କା ରାସ୍ତା
ବାସ୍ ଏବେ ଖାଲି !!
ଅପେକ୍ଷା
ଶେଷ ଜୀବନର ସୁଖକୁ ।