!! ଦି' ବୁନ୍ଦା ଲୁହ ରେ ଜୀବନ !!
!! ଦି' ବୁନ୍ଦା ଲୁହ ରେ ଜୀବନ !!
ହର୍ଷରେ ହେଉ ବା ବିମର୍ଷରେ
ଲୁହକୁ ଆପଣାର
କରିଛି କେବେଠୁ
ଜୀବନର ଅର୍ଥ ଖୋଜି ଖୋଜି
ଥକି ଗଲା ବେଳେ ,
ଚପଳ ଶୈଶବ ମୋର
କ୍ଷୁଧାରେ ଆତୁର ବେଳେ
କେବେ କେହି ଆତ୍ମୀୟ ସ୍ୱଜନ
ଚିରଦିନ ପାଇଁ
ବାହୁଡିଲା ବେଳେ
ଦି' ବୁନ୍ଦା ଲୁହ ଜକେଇ ଆସେ
ମୋ ସନ୍ତପ୍ତ ନୟନ କୋଣରେ !
ଦି' ବୁନ୍ଦା ଲୁହ ହଜେ
ପ୍ରଜାପତି ଚିତ୍ରିତ ଡେଣାରେ
ଲୁହ କେବେ ବତୁରାଏ ମାଟି
ମେଘରାତି ବତାସୀ ଝଡରେ
ଦି ' ବୁନ୍ଦା ଲୁହରେ ଭାସିଯାଏ କାହା ଚିଠି
କାଗଜ ଡଙ୍ଗାଟେ ହୋଇ
ବୟସର ଜୁଆରି ନଈରେ ।
ଲୁହ ମୋର ଅତିପ୍ରିୟ ଉଦାସୀ ମନର
ଲୁହ ମୋର ଅନୁନୟ ଅଧୀର ପ୍ରାଣର
ଲୁହ ମୋର ଆର୍ତ୍ତ ଟିଏ ଭକ୍ତି ନୈବେଦ୍ୟର
ଲୁହ ମୋ ସଜଳ ସକାଳ
ଯେଉଁଠି ପଖାଳେ ନିତି ଜୀବନକୁ ମୋର ।
ଦି'ବୁନ୍ଦା ଲୁହ ଛଳ ଛଳ ଆଖି
କେବେ ବିବଶ କରିଛି ମୋତେ
କେବେ ହରାଇଛି ଜୀବନର ଛନ୍ଦ
କେବେ ସେ ଅନୁତାପର
କେବେ ବିଧୂର ବେଳାର ।
ଲୁହ ଟିଏ ଝରିଗଲେ
କୋହସିକ୍ତ ଅନ୍ତର ଥରାଇ
ମୁଁ ଲଭେ ପରମ ଶାନ୍ତି
ଅଶାନ୍ତିର ଦାବଦହନରେ
ନିଜକୁ ଉଝାଇ !!