ପ୍ରେମ ପ୍ରତାରଣା
ପ୍ରେମ ପ୍ରତାରଣା
ପ୍ରେମ ହେବା ଏତେ ସହଜ ନୁହଁଇ
ମରମ ତଳର ଫୁଲ,
ସେଇ ପ୍ରେମ କେବେ ପ୍ରତାରଣା ଜାଲେ
ପାଲଟେ ନିଆଁର ଝୁଲ ।
ଜୀବନତ ଏକ ସୁକୁମାର ଗଛ
ଫୁଲ ଫଳେ ହସୁଥାଏ,
କେବେ ଅଦିନର ବଇଶାଖୀ ଝଡେ
ଭୂମିରେ ସେ ଲୋଟୁଥାଏ ।
ଚାରି ଚକ୍ଷୁ ଯେବେ ମିଳନ ହୁଅଇ
ହୃଦୟ ତ ଝୁରୁଥାଏ ,
ଦୁଇ ଟା ହୃଦୟ ଏକାକାର ହେଲେ
ମନଟା ଚଗଲା ହୁଏ ।
ପ୍ରେମ ସମ୍ଭାଷଣ ପ୍ରେମର ଦହନ
ମନ ନୀରବରେ ସହେ ,
ଗୋପନ ମିଳନ ପାଇଁ କେ ଉଚ୍ଛନ୍ନ
ଉଜାଗରେ ରାତି ପାହେ ।
ବସନ୍ତ ମଳୟ ପୁଲକ ଜଗାଏ
ଚାନ୍ଦିନୀ ଚେତାଏ ମନ ,
ପ୍ରେମ କରି ଦିଏ ଚେତନାକୁ ଅନ୍ଧ
ମନରେ ଜାଗଇ ସ୍ବପ୍ନ ।
ଯେତେ ବାଧା ଯେତେ ବାଦ ଅପବାଦ
ପାରେନି ମନକୁ ଟାଳି ,
କଳଙ୍କ ପସରା ମଥାପରେ ବୋହି
କିଏ କରେ ଜପାମାଳି ।
ଦିନ ପରେ ଦିନ ପାଣି ପରି ବହେ
ମିଳନର ନିଶା ଘାରେ,
ଅଳପ ଦିନରେ ଗଳପ ଅନେକ
ମିଳନରେ ପ୍ରେମ ସରେ ।
ଆସେ ପ୍ରତାରଣା କରେ ବାଟବଣା
ଟିକେ ଦେହ ସୁଖ ପାଇଁ ,
ଦେହର ଡହକ ମନର ମହକ
ମିଳନର ଗୀତି ଗାଇ ।
କେତେ ଯେ କୁଆଁରୀ ମାଆର ଜୀବନ
ଅକାଳରେ ଝରିପଡେ,
କେତେ ଯେ କଅଁଳା ଶିଶୁ ବାଟେ ପଡି
ଅସମୟେ ଦେହ ଛାଡେ ।
ପ୍ରେମ ପ୍ରତାରଣା ଲୁଚକାଳି ଖେଳ
ଜୀବନକୁ ଦିଏ ଜାଳି ,
କାଲି ଯେ ପ୍ରେମିକା ଆଜି ଖାଏ ଧୋକ୍କା
ସହେ ନିନ୍ଦା ମାଡ ଗାଳି ।
ଦୁନିଆଁ ଆଖିରେ କଳଙ୍କିନୀ ସାଜି
ଅକାଳେ ପଡେ କେ ଭାଜି,
କିଏ ଆଇନ୍ ର ଜାଲରେ ଫସଇ
ବୟସ ତା ଯାଏ ହଜି ।
ପ୍ରେମ ନୁହେଁ ଖାଲି ଦେହର ମିଳନ
ପ୍ରେମ ମନ ତଳ ମଧୁ
ପ୍ରେମରେ ନ ଥାଏ କଳଙ୍କ କାଳିମା
ସିଏ ତ ଅତଳ ସିନ୍ଧୁ !