STORYMIRROR

Sarojini Behera tiki

Romance

4  

Sarojini Behera tiki

Romance

ଫୁଲ ପସରା

ଫୁଲ ପସରା

1 min
356


ତୋଳି ଆଣି ମୁହିଁ ରଜନୀଗନ୍ଧାକୁ

ଗଭାରେ ତୋ ଖୋସି ଦେଲି

ଗଜରା ମଣ୍ଡିତ ଗଭାକୁ ଦେଖି ଲୋ

ବିଭୋର ଯେ ହୋଇଗଲି।

ଇନ୍ଦ୍ରଧନୁ ଠାରୁ ଗୋଲାପି ରଙ୍ଗକୁ

ଆଣିଥିଲି ଚୋରି କରି

କୋମଳ ଅଧରେ ଭରିଦେଲା ପରେ

ହସ ପଡୁଥିଲା ଝରି।

ଅମାବାସ୍ୟା ଦେହୁ କଳା ଟିକେ ଆଣି

ନୟନେ ଦେଲି ତୋ ମାଖି

କଜ୍ଜଳ ପୂରିତ ନୟନ ଯୁଗଳ

ଦେଖି ଯାଉଥିଲି ଲାଖି।

ପୁନେଇଁ ଚାନ୍ଦକୁ ଓହ୍ଲେଇ ଆଣିଲି

ତୋ ମଥାରେ ଦେଲି ଆଙ୍କି

ଗହମ ମୁହେଁ ତୋ ଚାନ୍ଦର ଟିକିଲି

ଲାଜ ଦେଉଥିଲା ଢାଙ୍କି।

ସାଗର ବକ୍ଷରୁ ମୁକୁତାକୁ ଆଣି

(ତୋ) ଗଳାରେ କରିଲି ହାର

ମୁକୁତାର ହାର ନାଚି ଯାଉଥିଲା

ଗଳାରେ ରହି ଲୋ ତୋର।

ରେଶମୀ ଶାଢ଼ୀ ଟେ ତନ୍ତୀ ଠାରୁ ଆଣି

ପିନ୍ଧାଇ ତତେ ମୁଁ ଦେଲି

ରେଶମୀ ଦେହକୁ ଆଲିଙ୍ଗନ କଲା

ଇର୍ଷାରେ ଗଲି ମୁଁ ଜଳି।

ଫଗୁଣ ଠୁ ନାଲି ରଙ୍ଗ ଟିକେ ଆଣି

ତୋ ମଥାରେ ଦେବି ବୋଲି

ନୀରବତା ତୋର ମାରିଦେଲା ମତେ

ପଛକୁ ଫେରି ଆସିଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance