ପାଳିଛି ମୁଁ ବିଷଧର
ପାଳିଛି ମୁଁ ବିଷଧର
ଘରେ ମୁଁ ପୋଷିଛି ବିଷଧରକୁ ଲୋ
ନିଜ ପେଟ ନିଜେ ମାରି
ଅଣ୍ଟି ଛୁରୀ ପରି କାଟିଦେଲା ତଣ୍ଟି
ଜୀଇଁ ଥାଉ ଗଲି ମରି ।
ସ୍ୱାର୍ଥବାଦୀ ଏହି ଦୁନିଆ ବୁକୁରେ
କିଏ କରେ କେତେ ନାଟ
ସ୍ୱାର୍ଥ ସରିଗଲେ ଜାଣେ ନାହିଁ ତତେ
ବଦଳାନ୍ତି ନିଜ ବାଟ ।
ମାନବିକତାର ଧର୍ମ କେଉଁଠାରେ
ଦେଖିବାକୁ ମିଳୁ ନାହିଁ
ଖାଇବା ପତ୍ରରେ ଛେପ ପକାଇଣ
ଚାଲିଯାଆନ୍ତି ଆଡେଇ ।
ପଞ୍ଜୁରୀରେ ଶାରୀ ରାମ ନାମ ଜପେ
ବନ୍ଧନରେ ବନ୍ଦୀ ହୋଇ
ଆଶା ମନେ ରଖି ମୁକୁଳିବା ପାଇଁ
ଦିନରାତି ଗାଉଥାଇ ।
ବନ୍ଦୀ ହୀନ ପ୍ରାଣୀ ଭୟ କରେ ନାହିଁ
ନିଜ କଥା ଭାବୁଥାଏ
ଆବଶ୍ୟକ ସ୍ଥଳେ ଜୀବନକୁ ଖେଳି
ଅଧା ବାଟେ ଚାଲିଯାଏ ।
ଏମାନଙ୍କ ବିଷ କେଇ କ୍ଷଣେ ନୁହେଁ
ସବୁଦିନ ଦେହେ ଚରେ
ଧୀର ପାଣି ପରି ସମ୍ପୂର୍ଣ ଦେହକୁ
ଘାରି ଘାରି ନୀତି ମାରେ ।
କ୍ଷୀର ଗୂଡ଼ ଦେଇ ପାଳିଥିଲି ତତେ
ଭୋଗୁଛି ଆଜି ମୁଁ ଦଶା
ନିଜ ରଙ୍ଗ ନିଜେ ଦେଖାଇଣ ଦେଲୁ
ଭାଙ୍ଗିଲୁ ମୋର ଭରଷା ।
